ଟାର୍ଗେଟରେ ଆଫଗାନସ୍ତାନ ମହିଳା ଜଜ୍ : ନାଁ ବଦଳାଇ କରିଛନ୍ତି ଆତ୍ମଗୋପନ

151

କନକ ବ୍ୟୁରୋ: ମହିଳାଙ୍କୁ ସବୁ କ୍ଷେତ୍ରରେ ସ୍ୱାଧୀନତା ଦେବାକୁ କହୁଥିବା ତାଲିବାନର ସରିୟା ସରକାର କେତେ ସତ କହୁଛି ତାହା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇସାରିଥିବାବେଳେ ଏବେ ଆଉ ଥରେ ଏହାର ଆଉ ଏକ ନଜିର ଦେଖିବାକୁ ମିଳିଛି । ତାଲିବାନକୁ ସମର୍ଥନ କରୁଥିବା ତଥା ତାଲିବାନଙ୍କ ଦ୍ୱାରା ଜେଲରୁ ବାହାରିଥିବା ଅଭିଯୁକ୍ତଙ୍କ ଡରରେ ୨୨୦ ଆଫଗାନ ମହିଳା ଏବେ ଛଦ୍ମ ନାଁରେ ବିଭିନ୍ନ ସ୍ଥାନରେ ବୁଲିଛନ୍ତି । ଏମାନେ ଜେଲରୁ ବାହାରିଥିବା କଏଦୀଙ୍କ ଡରରେ ନିଜ ଘରୁ ବାହାରି ବିଭିନ୍ନ ସ୍ଥାନରେ ରହୁଥିବା ବିବିସି ପ୍ରକାଶ କରିଛି ।

ତାଲିବାନ୍ ପୂର୍ବ ସରକାରରେ ଆଫଗାନିସ୍ତାନରେ ଅନେକ ମହିଳା ଜଜ୍ ଥିଲେ ।ଏମାନଙ୍କ ମଧ୍ୟରୁ ଅନେକଙ୍କ ନାଁ ଚର୍ଚ୍ଚାରେ ମଧ୍ୟ ରହିଆସିଛି । କିନ୍ତୁ ଏବେ ଏମାନେ ତାଲିବାନି ତଥା ଏମାନଙ୍କୁ ସମର୍ଥନ କରୁଥିବା ଜେଲରୁ ମୁକୁଳିଥିବା ଅଭିଯୁକ୍ତଙ୍କ ଠାରୁ ପ୍ରାଣ ବଂଚାଇବାକୁ ଏଠି ସେଠି ବୁଲୁଛନ୍ତି । ଜେଲରୁ ବାହାରିବା ପରେ ଏମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଅଭିଯୁକ୍ତ । ଏମାନଙ୍କ ମଧ୍ୟରୁ ୬ଜଣ ମହିଳା ଜଜଙ୍କ ସହ ଯୋଗଯୋଗ କରିଥିଲା ଗଣମାଧ୍ୟମ ପ୍ରତିନିଧି । ଏକାଧିକ ବ୍ୟକ୍ତିଙ୍କୁ ଜନୈକ ମହିଳା ଜଜ୍ ୨୦ ବର୍ଷ ଜେଲ ଦଣ୍ଡ ଦେଇଥିଲେ ।ଏହି ଅଭିଯୁକ୍ତ ତା’ର ପତ୍ନୀକୁ ଅତି ବର୍ବର ଭାବେ ଆକ୍ରମଣ କରିଥିଲା । ହେଲେ ଏବେ ତାଲିବାନିଙ୍କ ଦ୍ୱାରା ମୁକୁଳିବା ପରେ ଉକ୍ତ ମହିଳା ଜଜଙ୍କୁ ଫୋନରେ ଭଏସ୍ କଲ ଓ ମ୍ୟାସେଜ୍ ଜରିଆରେ ହତ୍ୟା ଧମକ ଦେଇଛନ୍ତି । ଜେଲରୁ ଜଜଙ୍କ ବିଷୟରେ ସମସ୍ତ ତଥ୍ୟା ଜାଣିପାରିଥିବା ଫୋନରେ କହିଛି ଅଭିଯୁକ୍ତ । ଏହି ଧମକ ପାଇବା ପରେ ମହିଳା ଜଜ୍ ମାନେ ରାତି ରାତି ଘର ଛାଡି ପଳାଇ ଆସିଥିଲେ । ବୁର୍ଖା ଭିତରେ ଥାଇ କାରରେ ଲୁଚି ପଳାଇଆସିଥିଲେ । ଏମାନଙ୍କ ପୁରୁଣା ଘରକୁ ଯାଇ ତାଲିବାନୀ ସମର୍ଥକ ଏମାନଙ୍କୁ ଖୋଜୁଛନ୍ତି । ପଡୋଶୀଙ୍କ ଠାରୁ ଏହି ଖବର ପାଇବା ପରେ ନିଜ ନିଜ ଫୋନ ନମ୍ବର ବଦଳାଇଛନ୍ତି ମହିଳା ଜଜ୍ । ଏବେ ନିଜ ଜୀବନକୁ ନେଇ ଶଙ୍କାରେ ଏହି ସମସ୍ତ ମହିଳା ଜଜ୍ । ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧି ଏନେଇ ପଚାରିବାରୁ ଏହାକୁ ଅସ୍ୱୀକାର କରିଛନ୍ତି ତାଲିବାନ୍ ପ୍ରବକ୍ତା ବିଲାଲ କରିମି ।