ବନ୍ଧୁକ ମୁନରେ ଆଫଗାନିସ୍ତାନ କଳାକାର, କଣ୍ଠଶିଳ୍ପୀ : ଘରୁ ଘୋଷାଡି ନେଇ କଣ୍ଠଶିଳ୍ପୀଙ୍କୁ ହତ୍ୟା କଲେ ତାଲିବାନୀ

226

କନକ ବ୍ୟୁରୋ: ଆଫଗାନିସ୍ତାନରେ ଶୁଭିବିନି ସଙ୍ଗୀତର ମୂର୍ଚ୍ଛନା । ଶୁଭିବ ଖାଲି ଗୁଳିର ଗର୍ଜନ । ଅତ୍ୟାଚାରର ଆର୍ତ୍ତଚିତ୍କାର । ଲୋକପ୍ରିୟ ଲୋକଗୀତ କଣ୍ଠଶିଳ୍ପୀଙ୍କୁ ତାଲିବାନିମାନେ ନିର୍ମମ ଭାବେ ହତ୍ୟା କରିବା ପରେ ଏହା ପାଖାପାଖି ସତ ହେବାକୁ ଯାଉଛି ।

ସତରେ କ’ଣ ଆଫଗାନ୍ ମାଟିରୁ ଲିଭଯିବି ସଙ୍ଗିତର ସ୍ୱର? କଣ୍ଠଶିଳ୍ପୀ ଓ ଅଭିନେତାଙ୍କ ଉପରେ ତାଲିବାନର ଲଗାତାର ଅତ୍ୟାଚାର ଯୋଗୁଁ ଏହାକୁ ନେଇ ଏବେ ଚର୍ଚ୍ଚା । ଦେଶ ଛାଡି ସିଙ୍ଗରଙ୍କ ପଳାୟନ, ପରିବା ବିକ୍ରି ପରି ବୃତ୍ତିକୁ ଆପଣେଇବା ଆଉ ଏବେ କଣ୍ଠଶିଳ୍ପୀଙ୍କୁ ଗୁଳିମାରି ହତ୍ୟା ଘଟଣା ଏହାକୁ ସ୍ପଷ୍ଟ କରୁଛି। କାନ୍ଦାହାର ବଗଲାନ୍ ଅଂଚଳର ଲୋକପ୍ରିୟ କଣ୍ଠଶିଳ୍ପୀ ଫୱାଦ୍ ଅନ୍ଦ୍ରାବୀଙ୍କୁ ତାଙ୍କୁ ଘରୁ ଘୋଷାଡି ନେଇଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ଗୁଳିମାରି ହତ୍ୟା କରିଥିଲେ ତାଲିବାନୀ । ଅନ୍ଦ୍ରାବୀ ଉଭୟ ରେଡିଓ ଓ ଟେଲିଭିଜନରେ ଲୋକ ଗୀତ ପରିବେଷଣ କରି ଆଫଗାନି ବାସିନ୍ଦାଙ୍କ ମନୋରଂଜନ କରୁଥିଲେ । ବଗଲାନ୍ ଭ୍ୟାଲିକୁ ବୁଲି ଆସୁଥିବା ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ମନୋରଂଜନ ମଧ୍ୟ କରୁଥିଲେ । ହେଲେ ତାଲିବାନୀଙ୍କ ଗୁଳିରେ ନରମି ଯାଇଛି ତାଙ୍କ ସ୍ୱର । ଚା’ ପିଇବା ବାହାନାରେ ଆତଙ୍କବାଦୀ ତାଙ୍କ ଘରେ ପଶିଥିଲେ । ଆଉ ପୁରା ଘରର ତଲାସି ନେଇ ଅନ୍ଦ୍ରାବୀଙ୍କୁ ଏକ ଖାଲି ସ୍ଥାନକୁ ଘୋଷାଡି ଘୋଷାଡି ନେଇଥିଲେ । ଆଉ ବିନା କିଛି କାରଣରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏଥିରେ ଘର ଲୋକ ବିରୋଧ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ‘ ଦ ଡେଲିମେଲ’ରେ ପ୍ରକାଶ ପାଇଛି । ଫଳରେ ଆଫଗାନିସ୍ତାନ ବଗଲାନ୍ ଭ୍ୟାଲି ମାଟିରେ ଆଉ ସଙ୍ଗୀତର ମୂର୍ଚ୍ଛନା ଶୁଭିବନି ବୋଲି ବିିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।     

ଏହା ପୂର୍ବରୁ ତାଲିବାନୀଙ୍କ ଡରରେ ଆଫଗାନ ସିଙ୍ଗର ହବିବୁଲ୍ଲା ସବାବ୍ ପରିବା ବିକିବା ଖବର ପ୍ରକାଶ ପାଇଥିଲା । ସେ ଆଉ କେବେ ଗୀତ ଗାଇବେ ନାହିଁ । ନିଜ ଇଚ୍ଛାକୁ ମାରି ବଂଚିବାକୁ ପଡିବ ବୋଲି ହବିବୁଲ୍ଲା କହିଥିଲେ । ଏହା ପୂର୍ବରୁ ପପ୍ ସିଙ୍ଗର ଆର୍ୟାନା ସୟିଦ୍ ମଧ୍ୟ ଆଫଗାନିସ୍ତାନ ଛାଡି ଏବେ ଲସ୍ ଆଂଜେଲ୍ସରେ ରହୁଛନ୍ତି । ତାଲିବାନି କବଳରୁ ପ୍ରିୟ ଆଫଗାନିସ୍ତାନକୁ ବଂଚାଇବାକୁ ସାରା ବିଶ୍ୱକୁ ଅପିଲ କରିଥିଲେ ଆର୍ୟାନା ।
ଏତିକିରେ କଥା ସରୁନି । ଟେଲିଭିଜନ ହେଉ କି ରେଡିଓ କି ଅନ୍ୟ କୌଣସି ଗଣମାଧ୍ୟମ କେଉଁଥିରେ ବି ସଙ୍ଗୀତ କାର୍ଯ୍ୟକ୍ରମ ହେବ ନାହିଁ କି ମହିଳାଙ୍କ କଣ୍ଠସ୍ୱର ଶୁଣାଯିବନି । ଏହା ଉପରେ ରୋକ୍ ଲଗାଇଛି ତାଲିବାନ୍ । ଏହାକୁ ଅମାନ୍ୟ କଲେ ପରିଣତି ଭୟାବହ ହେବ ବୋଲି ତାଲିବାନ୍ ଘୋଷଣା କରିବା ପରେ ପୁରା ଆଫଗାନିସ୍ତାନ ଏକ ଶ୍ମଶ୍ମାନ ହୋଇଯିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ।