କାଗଜପତ୍ରରେ ଲାଗିଛି ଗଛ, ହେଲେ ପଡିଆ ପଡିଛି ଜଙ୍ଗଲ । ଯାଜପୁର ଦାନଗଦିରେ ବନୀକରଣ ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ, ଆରଟିଆଇ ତଥ୍ୟ ମଗାଇବା ପରେ ଜଣାପଡିଲା ବନିକରଣ କେମିତି ହୋଇଛି ବାଟବଣା ।

208

କନକ ବ୍ୟୁରୋ : ବନୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ହେଲେ ବନୀକରଣ ହୋଇଥିବା ସ୍ଥାନ ପଡିଆ ପଡିଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକରେ ବନୀକରଣର ଏଭଳି ଅନିୟମିତତାର ଅଭିଯୋଗ ଆସିଛି । ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ବର୍ଷ ହେଲାଣି, ଏକାଧିକ ସ୍ଥାନରେ ବୃକ୍ଷରୋପଣ ପାଇଁ ଗୋଟିଏ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ନା ଗଛ ଅଛି, ନା ଜଙ୍ଗଲର ଦେଖା ମିଳୁଛି ।

ବନୀକରଣର ଇଏ ହେଉଛି କିଛି ବାସ୍ତବ ଚିତ୍ର । ଗଛର ସୁରକ୍ଷା ପାଇଁ ବାଡ ଲାଗିଛି, ଟ୍ରି ଗାର୍ଡ ପୋତାଯାଇଛି, ହେଲେ ତା ଭିତରେ ଗଛର ଦେଖା ମିଳୁନି । ଆଉ କେଉଁଠି ଗଛ ଲାଗିଛି କିନ୍ତୁ ଏହାର ବାଡବତା ନାହିଁ କି ଟ୍ରି ଗାର୍ଡ ନାହିଁ । ଯାଜପୁରର ଦାନଗଦୀ ବ୍ଲକ୍ ତ୍ରିଜଙ୍ଗା ଓ ଧୂଳିଗଡ ଅଂଚଳରେ କିଛି ଏଭଳି ଢ଼ଙ୍ଗରେ ବନୀକରଣ କରାଯାଇଛି । ଆଉ ଏହି ପୁରା ପ୍ରକ୍ରିୟାରେ ବଡ଼ଧରଣର ଅନିୟମିତତା ହୋଇଥିବା ଆଇଟିଆଇ ତଥ୍ୟରୁ ସ୍ପଷ୍ଟ ଅନୁମାନ କରି ହେଉଛି ।

୨୦୧୮-୧୯ ମସିହାରେ ରାମ୍ପିଲୋ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୬ଲକ୍ଷ ୫୮ହଜାର ୮ଶହ ଟଙ୍କାର ଅନୁଦାନ ମିଳିଥିଲା । ହେଲେ ଗଛ ଗୁଡିକ କୁଆଡେ ଉଭାନ୍ ହୋଇଗଲା । ସେହିପରି ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ଦାନଗଦୀ ବ୍ଲକର ୬ଟି ସ୍ଥାନରେ ବୃକ୍ଷରୋପଣ ପାଇଁ ୧କୋଟି ୧୪ଲକ୍ଷ ୭୮ହଜାର ୯୬୩ଟଙ୍କା ଖର୍ଚ୍ଚ ହେବାକୁ ଅର୍ଥ ମଞ୍ଜୁର ହୋଇଥିଲା କିନ୍ତୁ ବନୀକରଣର ଇଏ ହେଉଛି ବାସ୍ତବ କାହାଣୀ ।

କେବଳ ଦାନଗଦୀ ବ୍ଲକ୍ ଅଂଚଳରେ ନୁହେଁ ଉଣାଅଧିକେ ଜିଲ୍ଲାର ବିଭିନ୍ନ ବ୍ଲକରେ ସମାନ ସ୍ଥିତି । ଦୁଇବର୍ଷ ଭିତରେ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ଲକ୍ଷ ଲକ୍ଷ ଗଛ ଚାରା ଲଗାଯାଇଥିବା ଦାବି କରାଯାଉଛି । ହେଲେ ସେ ଗଛ କୁଆଡେ ଗଲା ତାର ହିସାବ ଖୋଜିଲେ ବି ମିଳୁନାହିଁ । ଅଧିକାରୀଙ୍କ ସଫେଇ ଓ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଭିତରେ ବାସ୍ତବ ଘଟଣା କ’ଣ, ହୁଏତ ତାହା କାହାକୁ ବି ଅଛପା ନାହିଁ ।