ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଦଳ । ଥାଇଲାଣ୍ଡକୁ ୪-୧ ଗୋଲରେ ହରାଇ ୫୫ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ

ଇତିହାସ ରଚିଲା ଭାରତୀୟ ଫୁଟବଲ୍ ଦଳ । ଥାଇଲାଣ୍ଡକୁ ୪-୧ ଗୋଲରେ ହରାଇ ୫୫ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ

Source:hindustantimes.com

କନକ ବ୍ୟୁରୋ: ଏସିଆ କପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ୍ ଦଳ । ଅଧିନାୟକ ସୁନୀଲ ଛେତ୍ରୀଙ୍କ ୨ଟି ଗୋଲ୍ ବଳରେ ଭାରତ ଥାଇଲାଣ୍ଡକୁ ୪-୧ ଗୋଲରେ ହରାଇ ଦେଇଛି । ଅବଶିଷ୍ଟ ଦୁଇଟି ଗୋଲ୍ ଯୁବ ଖେଳାଳି ଅନିରୁଦ୍ଧ ଥାପ୍ପା ଓ ଜେଜେ ଲାଲ୍ଫେଖ୍ଲୁଆ କରିଥିଲେ। ଥାଇଲାଣ୍ଡ୍ ପାଇଁ ଏକମାତ୍ର ଗୋଲ୍ ଅଧିନାୟକ ତିରାସିଲ୍ ଡାଙ୍ଗ୍ଡା କରିଥିଲେ। ଥାଇଲାଣ୍ଡ ବିପକ୍ଷରେ ଭାରତର ଏହା ଷଷ୍ଠ ବିଜୟ। ପୂର୍ବରୁ ଉଭୟ ଦଳ ପରସ୍ପର ୨୪ ଥର ମୁହାଁମୁହିଁ ହୋଇସାରିଥିଲା ବେଳେ ଥାଇଲାଣ୍ଡ ୧୨ ଓ ଭାରତ ୫ ଥର ବିଜୟୀ ହୋଇଥିଲା। ଅବଶିଷ୍ଟ ୭ ମ୍ୟାଚ୍ ଅମୀମାଂସିତ ରହିଛି।

publive-image

ଶେଷଥର ପାଇଁ ଉଭୟ ଦଳ ୨୦୧୦ରେ ଦୁଇଥର ମୁହାଁମୁହିଁ ହୋଇଥିଲା ବେଳେ ଉଭୟ ଥର ଥାଇଲାଣ୍ଡ୍ ଯଥାକ୍ରମେ ୨-୧ ଓ ୧-୦ ଗୋଲ୍ରେ ହିଁ ବାଜି ମାରିଥିଲା। ହେଲେ ଭାରତ ସେହି ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି। ଏପରିକି ୧୯୮୬ ମେର୍ଦେକା କପ୍ (କୁଆଲାଲୁମ୍ପୁର) ପରେ ଭାରତ ପ୍ରଥମ ଥର ପାଇଁ ଥାଇଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହିତ ଗ୍ରୁପ୍-ଏରେ ସ୍ଥାନ ପାଇଥିବା ଭାରତ ପୂରା ୩ ପଏଣ୍ଟ୍ ଅକ୍ତିଆର କରି ଶୀର୍ଷରେ ରହିଛି।

publive-image

ଥାଇଲାଣ୍ଡ୍ ବିପକ୍ଷ ମ୍ୟାଚରେ ଭାରତ ୨୭ ମିନିଟରେ ଗୋଲ୍ କରି ଆଗୁଆ ହୋଇଥିଲା। ପେନାଲ୍ଟି ସ୍ପଟରୁ ଛେତ୍ରୀ ଏହି ଗୋଲ୍ କରିଥିଲେ। ତେବେ ୩୩ ମିନିଟରେ ପ୍ରତିପକ୍ଷ ଅଧିନାୟକଙ୍କ ଗୋଲ୍ ସ୍ଥିତି ୧-୧ କରିଦେଇଥିଲା। ଆଉ ଏହି ସ୍କୋର୍ ଲାଇନରେ ଉଭୟ ଦଳ ମଧ୍ୟାହ୍ନ ବିରତିକୁ ଯାଇଥିଲେ। ତେବେ ବିରତି ପରେ ଛେତ୍ରୀ ପୁଣି କମାଲ୍ କରିଥିଲେ। ସେ ୪୬ ମିନିଟ୍ରେ ଭାରତ ପାଇଁ ଏବଂ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ କରିଥିଲେ। ଏହା ଥିଲା ଛେତ୍ରୀଙ୍କ ଜୀବନର ୬୭ତମ ଆନ୍ତର୍ଜାତିକ ଗୋଲ୍। ଛେତ୍ରୀଙ୍କ ଏହି ଗୋଲ୍ ବଳରେ ଭାରତ ୨-୧ରେ ଆଗେଇ ଯିବା ପରେ ୬୮ ମିନିଟରେ ୨୦ ବର୍ଷ ବୟସ୍କ ଥାପ୍ପାଙ୍କ ଚମତ୍କାର ଗୋଲ୍ ୩-୧ର ଅଗ୍ରଣୀ ଦେଇଥିଲା।

publive-image

ଏହି ଗୋଲରେ ବି ଛେତ୍ରୀଙ୍କ ସହଯୋଗ ରହିଥିଲା। ପ୍ରଥମେ ଛେତ୍ରୀ ବଲ୍କୁ ଉଦାନ୍ତ ସିଂହଙ୍କ ନିକଟକୁ ପାସ୍ କରିଥିଲେ। ଆଉ ଉଦାନ୍ତ ଥାଇଲାଣ୍ଡ୍ ବକ୍ସ ମଝିରୁ ବଲ୍କୁ ଥାପ୍ପାଙ୍କୁ ଦେଇଥିଲା ବେଳେ ଥାପ୍ପା ଗୋଲ୍ କରିବାରେ ତ୍ରୁଟି କରିନଥିଲେ। ଶେଷରେ ୮୧ ମିନିଟରେ ଜେଜେ ଥାଇଲାଣ୍ଡ୍ ବକ୍ସ ଉପରିଭାଗ ଦେଇ ଏକ ଚମତ୍କାର ଗୋଲ୍ କରିଥିଲେ। ଏହି ଗୋଲ୍ ବଳରେ ଭାରତ ୪-୧ର ବିଜୟ ହାସଲ କରିନେଇଥିଲା। ଜେଜେଙ୍କ ଏହି ଗୋଲ୍ ମ୍ୟାଚର ସର୍ବଶ୍ରେଷ୍ଠ ଗୋଲର ମାନ୍ୟତା ପାଇଥିଲା। ବିଜୟରୁ ଅଭିଯାନ ଆରମ୍ଭ କରି ଆତ୍ମବିଶ୍ବାସ ବଢ଼ାଇଥିବା ଭାରତ ତା’ର ପରବର୍ତୀ ମ୍ୟାଚ୍ ଆସନ୍ତା ୧୦ ତାରିଖରେ ୟୁଏଇ ସହିତ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe