ଭାରତରେ ପହଞ୍ଚିଲା ୩ଟି ଲଢୁଆ ରାଫେଲ ବିମାନ । ଭାରତୀୟ ବାୟୁସେନା ପାଇଲଟ ନେବେ ସ୍ୱତନ୍ତ୍ର ଟ୍ରେନିଂ

38

ଭାରତରେ ପହଞ୍ଚିଲା ୩ ଲଢୁଆ ରାଫେଲ ବିମାନ । ଗୋଟିଏ ପଟେ ଲଢୁଆ ରାଫେଲ ବିମାନକୁ ନେଇ କଂଗ୍ରେସ ବାରମ୍ବାର ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଫ୍ରାନ୍ସରୁ ୩ଟି ଲଢୁଆ ରାଫେଲ ବିମାନ ଭାରତରେ ପହଞ୍ଚିଛି । ଗ୍ୱାଲିୟର ଏୟାରବେସରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ରାଫେଲ ବିମାନ ରହିବ । ଆଉ ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ପାଇଲଟଙ୍କୁ ଏଥିରେ ଟ୍ରେନିଂ ଦିଆଯିବ ।

ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆରେ ଏକ ଅର୍ନ୍ତଜାତୀୟ ସମରାଭ୍ୟାସରେ ସାମିଲ ହୋଇଥିଲା ଫ୍ରାନ୍ସ । ଫ୍ରାନ୍ସ ବାୟୁସେନା ୩ଟି ରାଫେଲ ବିମାନ ସହ ସମରାଭ୍ୟାସରେ ସାମିଲ ହୋଇଥିଲା । ତେବେ ଫେରିବା ସମୟରେ ଗ୍ୱାଲିଅର ଏୟାରବେସରେ ଅଟକିଥିଲା ଏହି ବିମାନ । ଏହି ମିଳିତ ସମରାଭ୍ୟାସରେ ଭାରତୀୟ ବାୟୁସେନା ମଧ୍ୟ ଭାଗ ନେଇଥିଲା । ଏସବୁ ଭିତରେ ଭାରତ-ଫ୍ରାନ୍ସ ପକ୍ଷରୁ ମିଳିତ ସମରାଭ୍ୟାସ କରିବାକୁ ସ୍ଥିର ହୋଇଛି । ଯେଉଁଥିରେ ଭାରତର ବାୟୁସେନା ପାଇଲଟ ମାନେ ଗ୍ୱାଲିୟରରେ ରାଫେଲ ବିମାନ ଉଡାଇବେ ଓ ଫ୍ରାନ୍ସର ପାଇଲଟ ମାନେ ମିରାଜ-୨୦୦୦ ଲଢୁଆ ବିମାନ ଉଡାଇବାର ଟ୍ରେନିଂ ନେବେ ।

ଅଷ୍ଟ୍ରେଲିଆରେ ହେଉଥିବା ପିଚ ବ୍ଲାକ ଯୁଦ୍ଧ ଅଭ୍ୟାସରେ ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ଓ ସୁଖୋଇ-୩୦ ବିମାନକୁ ସାମିଲ କରାଯାଇଥିଲା । ଆଗାମୀ ଦିନରେ ଫ୍ରାନ୍ସରୁ ଭାରତକୁ ରାଫେଲ ବିମାନ ଆସିବ । ଆଉ ଏହା ପୂର୍ବରୁ ରାଫେଲ ବିମାନ ଚଳାଇବା ଦ୍ୱାରା ଭାରତୀୟ ପାଇଲଟଙ୍କ ପାଖରେ ଭଲ ଅନୁଭବ ମଧ୍ୟ ରହିବ ।

୨୦୧୯ ସେପ୍ଟେମ୍ବର ସୁଦ୍ଧା ୩୬ଟି ରାଫେଲ ବିମାନ ଭାରତକୁ ଆସିବା ଆରମ୍ଭ ହୋଇଯିବ । ତେବେ ସବୁ ବିମାନ ଭାରତକୁ ଆସିବାକୁ କିଛି ବର୍ଷ ଲାଗିପାରେ । ୩୬ଟି ଲଢୁଆ ରାଫେଲ ବିମାନକୁ ଦୁଇଟି ସ୍କ୍ୱାର୍ଡନରେ ବଣ୍ଟା ଯିବ । ଗୋଟିଏ ସ୍କ୍ୱାର୍ଡନ ବିମାନ ପାକିସ୍ତାନକୁ ମାତ ଦେବାକୁ ହରିୟାଣାର ଅମ୍ବଲାରେ ନିୟୋଜିତ କରାଯିବ । ଅନ୍ୟ ସ୍କ୍ୱାର୍ଡନଟି ପଶ୍ଚିମବଙ୍ଗର ହାସିମରାରେ ନିୟୋଜିତ କରାଯିବ । ମୋଦି ସରକାର ୬୦ ହଜାର କୋଟି ଟଙ୍କା ଦେଇ ୩୬ଟି ରାଫେଲ ବିମାନ କିଣିବାକୁ ଫ୍ରାନ୍ସ ସହ ଚୁକ୍ତି କରିଛି । ଯାହାକୁ ନେଇ କଂଗ୍ରେସ ଦୀର୍ଘ ଦିନ ଧରି ମୋଦି ସରକାରକୁ ଟାର୍ଗେଟ କରୁଛି ।