ଆକାଶମାର୍ଗରୁ ପୁରୀ ବେଳାଭୂମିର ଚିତ୍ର । ଦେଖନ୍ତୁ କେମିତି ଥିଲା ‘ଫୋନି’ ପରର ସ୍ଥିତି ?

ସାମନାକୁ ଆସିଲା ବାତ୍ୟା ଫୋନିର ୪ ଦିନ ପରେ ପୁରୀ ବେଳାଭୂମିର ଦୃଶ୍ୟ

493

କନକ ବ୍ୟୁରୋ: ଆକାଶମାର୍ଗରୁ ପୁରୀ ବେଳାଭୂମିର ଚିତ୍ର । ବାତ୍ୟା ଫୋନି ପୁରୀକୁ ଛାରଖାର କରିଦେଇଛି । ୩ ତାରିଖରେ ବାତ୍ୟା ଆସିଲା ଆଉ ବେଳାଭୂମିର ଅନେକ କ୍ଷତି ଘଟାଇଲା । ଏହି ଚିତ୍ର ହେଉଛି ଫୋନିର ୪ ଦିନ ପରେ ଡ୍ରୋନ କ୍ୟାମେରାରେ ନିଆଯାଇଥିବାପୁରୀ ବେଳାଭୂମିର । ବେଳାଭୂମି କଡରେ ଥିବା ରାସ୍ତା ସମୁଦ୍ରବାଲିରେ ଭର୍ତି ହୋଇଯାଇଛି ଏବଂ ରାଜରାସ୍ତା ପୋତି ହୋଇଯାଇଛି ବାଲିରେ । ଯୁଆଡେ ଚାହିଁଲେ ଖାଲି ବାଲି ଆଉ ବାଲି । ଯଦିଓ ପରେ ପରେ ଏହାକୁ ସଫା କରି ଦିଆଯାଇଛି । କିନ୍ତୁ ରାସ୍ତା କଡରେ ଏବେ ବି ବାଲିର ପାହାଡ ଦେଖିବାକୁ ମିଳିଛି । ଫୋନିରେ ପୁରୀର ବଡ ବଡ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ନଷ୍ଟ ହୋଇଛି । ଏପରିକି ଅନେକ ହୋଟେଲର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ । ତେବେ ଅଂଟା ସଳଖିବାକୁ ଉଦ୍ୟମ କରୁଛି ପୁରୀର ହୋଟେଲ ଶିଳ୍ପ ।

ଖାଲି ପୁରୀ ବେଳାଭୂମି ନୁହେଁ ବାତ୍ୟା ଉଜାଡିଦେଇଛି ଅଭୟାରଣ୍ୟର ସବୁଜିମା । ସବୁଆଡେ କେବଳ ବିପର୍ଯ୍ୟୟର ଚିତ୍ର । ଗଛଗୁଡିକ ମୂଳରୁ ଉପୁଡି ଭୂଇଁରେ ଲୋଟିଛି । କାଁ ଭାଁ ଗୋଟେ ଯୋଡେ ଗଛ ଥୁଂଟା ହୋଇ ରହିଛି । ବାତ୍ୟା ଫୋନି ଅଭୟାରଣ୍ୟର ସବୁଜିମାକୁ ଗାଏବ କରିଦେଇଛି । ଭୂଇଁରେ ପଡିଥିବା ପତ୍ର ବିହୀନ ଗଛ ବାଲୁଖଣ୍ଡ ଭୟାବହତାକୁ ବୟାନ କରୁଛି ।

ଅଭୟାରଣ୍ୟର ୩୦ କିଲୋମିଟର ଜଙ୍ଗଲକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଫୋନି । କିଛି ଦିନ ତଳେ ଯେଉଁଠି ପ୍ରାକୃତିକ ପରିବେଶ, ସବୁଜିମା ବଳୟ ଥିଲା ସେଠାରେ ଏବେ ନୀରବତା ରାଜୁତି କରୁଛି । ଡ୍ରୋନ କ୍ୟାମେରାର ଚିତ୍ର ବୟାନ କରୁଛି, ଫୋନି ସ୍ଥଳଭାଗ ଛୁଇଁଲା ପରେ କିଭଳି ତାଣ୍ଡବ ରଚିଥିଲା । ଫୋନିରେ ଅଭୟାରଣ୍ୟ ପୁରା ଛାରଖାର ହୋଇଯାଇଛି ।