ଲୋୟର ପିଏମଜିରେ ବିରଳ ଦୃଶ୍ୟ ! ବଲାଙ୍ଗୀରରୁ ଭୁବନେଶ୍ୱରରେ ପହଂଚିଲା ହାଇକୋର୍ଟ ବେଂଚ୍ ଆନ୍ଦୋଳନ, କଳା କୋର୍ଟ ପିନ୍ଧି କୋର୍ଟ ପରିସର ବାହାରେ ଆନ୍ଦୋଳନରେ ଓକିଲ ।

212

କନକ ବ୍ୟୁରୋ : ଓକିଲଙ୍କ ଆନ୍ଦୋଳନ ଆଗରୁ ଅନେକ ଥର ଦେଖିବାକୁ ମିଳିଛି । ହେଲେ କେବେ ରାଜଧାନୀର ଲୋୟର ପିଏମଜିରେ କଳାକୋର୍ଟ ପିନ୍ଧି ଓକିଲ ଆନ୍ଦୋଳନ କରୁଥିବାର ନଜିର ଆଗରୁ ନଥିଲା । ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ବଲାଙ୍ଗିର ଓକିଲ ସଂଘ ଆନ୍ଦୋଳନରୁ ଆସିବା ପରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ନରସିଂହ ମିଶ୍ର ।

ଲୋୟର ପିଏମଜିରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । କଳା କୋର୍ଟ ପିନ୍ଧି ଆନ୍ଦୋଳନରେ ଓକିଲ । ପୂର୍ବରୁ କେବେ ଏପରି ଚିତ୍ର ଦେଖିବାକୁ ମିଳିନଥିଲା, ଯାହା ମଙ୍ଗଳବାର ଦେଖିବାକୁ ମିଳିଥିଲା ଲୋୟର ପିଏମଜିରେ । ବିଧାନସଭା ଚାଲିଥିବା ବେଳେ ଆନ୍ଦୋଳନରେ ଲୋୟର ପିଏମଜିରେ ବସିଥିଲେ ବଲାଙ୍ଗିର ଓକିଲ ସଂଘ । ଦେହରେ କଳାକୋର୍ଟ, ହାତରେ ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବିର ପ୍ଲାକାର୍ଡ । ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ଓକିଲଙ୍କ ଆନ୍ଦୋଳନ ଦୀର୍ଘ ବର୍ଷ ଧରି ଚାଲି ଆସୁଛି । ହେଲେ ରାଜଧାନୀରେ କୋର୍ଟ ବାହାରେ ଓକିଲ କଳାକୋର୍ଟ ପିନ୍ଧି ଏପରି ଆନ୍ଦୋଳନ କରିବା ନଜିର କେବେ ନଥିଲା । ରାଜଧାନୀରେ ପଶ୍ଚିମଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଂଚ ସ୍ଥାପନ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।

ପଶ୍ଚିମଓଡିଶାରେ ହାଇକୋର୍ଟ ବେଂଚ ସ୍ଥାପନ ନେଇ ଦାବି ଜୋର ଧରିବା ପରେ, ଠିକ୍ ସମାନ ଢଙ୍ଗରେ ଜୟପୁର ଓ ବାରିପଦା ଭଳି ଏକାଧିକ ସ୍ଥାନରେ ତେଜିଥିଲା ଆନ୍ଦୋଳନ । ଓଡିଶା ସରକାର ମଧ୍ୟ ପଶ୍ଚିମଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପାଇଁ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ଏହାପରେ କେନ୍ଦ୍ର ସରକାର ଓଡିଶା ସରକାରକୁ ସ୍ଥାନ ନିରୂପଣ ନେଇ ଚିଠି ଲେଖିଥିଲେ । ରାଜ୍ୟ ସରକାର ମଧ୍ୟ ପୁଣି ଚିଠି ଲେଖିଲେ । ଏହି ଭଳି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚିଠି ଦିଆନିଆ ଭିତରେ ଝୁଲି ରହିଛି ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ।