ସବୁ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରି । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରହିବେ ସ୍ପେଶାଲ୍ ସିକ୍ୟୁରିଟି, ହସ୍ପିଟାଲରେ ଲାଗିବ ସିସିଟିଭି କ୍ୟାମେରା ।

234

କନକ ବ୍ୟୁରୋ : ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଏନେଇ ଚିଠି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କର୍ମକ୍ଷେତ୍ରରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଜାରି ହୋଇଥିବା ଏହି ଆଡଭାଇଜରୀରେ ୯ଟି ପଏଂଟ ଉପରେ ଗୁରୁତ୍ୱ ଦିଆଯାଇଛି । ହସ୍ପିଟାଲ ଗୁଡିକର ସୁରକ୍ଷା ଦାୟିତ୍ୱ ତାଲିମପ୍ରାପ୍ତ ଅଧିକାରୀଙ୍କୁ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।

ମେଡିକାଲରେ ସିସିଟିଭି କ୍ୟାମେରା ଲଗାଇବା, ଆବଶ୍ୟକ ହେଲେ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ କ୍ୱିକ୍ ଆକ୍ସନ ଟିମ ଗଠନ । ସୁରକ୍ଷା ବ୍ୟବସ୍ଥାର ମନିଟରିଂ ପାଇଁ ଉନ୍ନତ ଜ୍ଞାନକୌଶଳ ସଂପନ୍ନ କଂଟ୍ରୋଲ ରୁମ୍ । ରୋଗୀଙ୍କ ସଂପର୍କୀୟଙ୍କ ଛଡା ମେଡିକାଲ ଭିତରେ ଅନ୍ୟ କାହାରି ପ୍ରବେଶ ଉପରେ କଟକଣା । ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଦୁର୍ବ୍ୟହାରକାରୀଙ୍କ ବିରୋଧରେ ସଂପୃକ୍ତ ଅନୁଷ୍ଠାନ ତରଫରୁ ମାମଲା ରୁଜୁ । ଚିକିତ୍ସା ଅବହେଳାର ତଦାରଖ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତି ନିର୍ଦ୍ଦେଶ । ଖାଲିପଡିଥିବା ଡାକ୍ତର ଓ ଷ୍ଟାଫ ପଦବୀ ପୂରଣ କରିବାକୁ ଆଡଭାଇରୀ ଉଲ୍ଲେଖ ରହିଛି ।

ସେହିପରି ସହରାଂଚଳ ଅପେକ୍ଷା ଦୁର୍ଗମ ଅଂଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତିଭୂମୀ ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ସାରା ଦେଶରେ ଡାକ୍ତର ଆନ୍ଦୋଳନ ତେଜିଥିଲା । ସେହି ସମୟରେ ଡାକ୍ତରଙ୍କ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ର ସରକାର ।