ଚୀନ ଡେଇଁ ଭାରତରେ ‘କୋରୋନା’ । ଓଡିଶାରେ ଖେଳିଲା ଭୟଙ୍କର ଭାଇରସର କୋକୁଆ ଭୟ । ସଂକ୍ରମଣ ପୂର୍ବରୁ ସତର୍କ ରହିବାକୁ ସରକାର ଜାରି କଲେ ଆଡଭାଇଜରି ।

1,796

କନକ ବ୍ୟୁରୋ : ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୂତାଣୁ ଭୟ ଏବେ ଚୀନ୍ ଡେଇଁ ଭାରତରେ ପହଂଚିଛି । ବିଭିନ୍ନ ରାଜ୍ୟରେ ଏହି ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ, ସତର୍କତା ନେଇ ଆଡଭାଇଜରି ଜାରି କରିଛନ୍ତି ଓଡିଶା ସରକାର । କୋରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତି, ସେନେଇ ସତର୍କ ରହିବାକୁ ବିମାନ ବନ୍ଦର, ରେଳବାଇ କର୍ତୃପକ୍ଷ ଏବଂ ପାରାଦୀପ ବନ୍ଦରକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଏହି ମାରାତ୍ମକ ଭାଇସରର ମୁକାବିଲା ପାଇଁ ଉପଯୁକ୍ତ ପରିମାଣରେ ଔଷଧ, ଏବଂ ଲୋକମାନଙ୍କୁ କିଭଳି ସଚେତନ କରାଯିବ ସେନେଇ ଆଡଭାଇଜରିରେ କୁହାଯାଉଛି । ବିଶେଷ କରି କେରଳ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ଏହି କୋରୋନା ଭାଇରସ ବ୍ୟାପିଥିବାର ଖବର ପରେ, କୋରୋନା କବଳରେ ଯେଭଳି ଓଡିଶା ନଆସୁ, ସେନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର ।

ଚୀନର ଏହି ଭୟଙ୍କର ଭାଇରସ ସଂକ୍ରମଣରେ ଚୀନର ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ମୁମ୍ବାଇର ୨ଜଣ ଲୋକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ, ଏବେ ସବୁ ଭାରତୀୟଙ୍କୁ ଘାରିଛି ଭୂତାଣୁ ଭୟ । ଆଉ ଏହାରି ଭିତରେ ଯେଭଳି ଓଡିଶାରେ ଏହି ଭାଇରସର ଆତଙ୍କ ଦେଖାନଯାଏ, ସେନେଇ ସତର୍କ ସୂଚନା ଜାରି କରିଛନ୍ତି ଓଡିଶା ସରକାର ।