ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଅନୁଧ୍ୟାନ କରିବାକୁ ଭାରତୀୟ ଆର୍ମିକୁ ପରାମର୍ଶ । କିଭଳି ଲଢେଇ କରୁଛି ଦୁଇଦେଶର ସେନା, କୌଶଳ ଶିଖିବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ସୁରକ୍ଷା କମିଟି

287

କନକ ବ୍ୟୁରୋ: ୟୁକ୍ରେନରେ ଯୁଦ୍ଧକୁ ୫୦ ଦିନ ହେବାକୁ ଯାଉଛି । ତଥାପି ରୁଷିଆ ଓ ୟୁକ୍ରେନ ମଧ୍ୟରେ କୌଣସି ସମାଧାନର ବାଟ ବାହାରୁନି । ଏହାରି ଭିତରେ ଯୁଦ୍ଧ କୌଶଳ ଶିଖିବାକୁ ଭାରତୀୟ ସେନାକୁ ପରାମର୍ଶ ଦେଇଛନ୍ତି ଜାତୀୟ ସୁରକ୍ଷା କମିଟି । ରୁଷିଆର ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ନିପାତ କରିବାରେ କିଭଳି ସଫଳ ହେଲା ୟୁକ୍ରେନ ସେହି କୌଶଳ ଶିଖିବାକୁ କୁହାଯାଇଛି ।

  • ରୁଷିଆ-ୟୁକ୍ରେନ ଯୁଦ୍ଧରୁ କୌଶଳ ସିଖୁଛି ଭାରତୀୟ ଆର୍ମି
  • ଶ୍ରେଷ୍ଠ ଯୁଦ୍ଧ ରଣନୀତିର ଉଦାହରଣ ସୃଷ୍ଟି କରିଛି ୟୁକ୍ରେନ

ଜାତୀୟ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସେନାର ହେଡକ୍ୱାଟରକୁ ଏଭଳି ନିର୍ଦ୍ଦେଶ ଦେଇଛି । ଭାରତୀୟ ସେନାକୁ ଯୁଦ୍ଧ କୌଶଳ ଶିଖିବା ପାଇଁ ପରାମର୍ଶ ଦିଆଯାଇଛି । ୪୯ ଦିନ ଧରି ୟୁକ୍ରେନରେ ରୁଷିଆ ଆକ୍ରମଣ ଜାରି ରହିଥିବାବେଳେ କିଭଳି ରୁଷିଆର ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ନିପାତ କରିବାରେ ୟୁକ୍ରେନ ସେନା ସଫଳ ହୋଇଛି ଏହି ରଣନୀତି ଶିଖିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଛି ଜାତୀୟ ସୁରକ୍ଷା ବିଭାଗ । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ମସ୍କୋକୁ ଭୟଙ୍କର ପରିଣାମ ଭୋଗିବାକୁ ପଡୁଛି । ହେଲେ ଏଥିପାଇଁ ବହୁ ପୂର୍ବରୁ କିଭଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରସ୍ତୁତ ଥିଲେ ସେହି କୌଶଳ ଶିଖିବାକୁ ମଧ୍ୟ କୁହାଯାଇଛି ।

କେବଳ ସେତିକି ନୁହେଁ ଶକ୍ତିଶାଳୀ ରୁଷ ସେନାକୁ ସାମ୍ନା କରି ଆସୁଛି ଜେଲେନସ୍କି ବାହିନୀ । ଏଥିରେ ୟୁକ୍ରେନର ପ୍ରତିରକ୍ଷା ବିଭାଗର ରଣନୀତି ନିଶ୍ଚିତ ରୂପେ ପ୍ରଶଂସନୀୟ । ଆଉ ୟୁକ୍ରେନ ସେନାର ଏହି ରଣନୀତି ଭାରତୀୟ ଯବାନମାନେ ଶିଖିବା ଉଚିତ୍ ବୋଲି ସେନାର ପୂର୍ବତନ ଅଧିକାରୀ କହିଛନ୍ତି । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।ତେବେ କିଭଳି ୪୯ ଦିନ ଧରି ଦୁଇ ଦେଶ ଭିତରେ ଯୁଦ୍ଧ ଜାରି ରହିଛି ଏହା କେବଳ ଭାରତୀୟ ଯବାନ ନୁହେଁ ବିଶ୍ୱର ସବୁ ଦେଶର ଯବାନମାନେ ଦେଖିବା ଓ ଶିଖିବା ଉଚିତ୍ । ମାତ୍ର ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ଦୁଇ ଦେଶର ଯୁଦ୍ଧ ଭିତରେ ସବୁବେଳେ ସାଧାରଣ ଓ ନିରିହ ଲୋକ ହିଁ ସମସ୍ୟା ଭୋଗିଥାନ୍ତି ।