ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଉପରେ ନଜର । ଟିମରେ ପରିବର୍ତ୍ତନ ପାଇଁ ପରାମର୍ଶ । ପୃଥ୍ୱୀ ସ’ଙ୍କ ସ୍ଥାନରେ ରାହୁଲଙ୍କୁ ଖେଳାଇବାକୁ ଗାଭାସ୍କରଙ୍କ ପରାମର୍ଶ ।

163

କନକ ବ୍ୟୁରୋ : ଆଡିଲେଡ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୬ରନର ସ୍କୋର ପରେ ଅଷ୍ଟ୍ରେଲିଆ ନିକଟରୁ ଭାରତର ଶୋଚନୀୟ ପରାଜୟ ହୋଇଛି । ଏଥିସହ ୪ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି । ଏହି ପରାଜୟ ପରେ ଭାରତର ସମସ୍ୟା ବଢିଯାଇଛି । ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସଙ୍କ ସ୍ଥାନରେ କେଏଲ ରାହୁଲ ଖେଳିବା ଉଚିବ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । ସେହିପରି ୱିକେଟ କିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଖେଳାଇବା ପାଇଁ ପରାମର୍ଶ ଦେଇଚନ୍ତି ଟିମ ଇଣ୍ଡିଆ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ପ୍ରଥମ ଟେଷ୍ଟର ପରାଜୟକୁ ଭୁଲି ନୂଆ ଭାବେ ଆରମ୍ଭ କଲେ ଦଳ ପୁଣି ଥରେ ସିରିଜକୁ ଫେରିପାରିବ ବୋଲି କହିଛନ୍ତି ଇଂଲଲ୍ଡ ସ୍ପିନର ମଂଟି ପାନେସର ।

ଅଷ୍ଟ୍ରେଲିଆ ଠାରୁ ଭାରତ ପ୍ରଥମ ଟେଷ୍ଟରେ ପରାଜୟ ହେବା ପରେ ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ନେଇ ବଢିଯାଇଛି ଚିନ୍ତା । କାରଣ ଦଳରେ ଏବେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ହେବାକୁ ଯାଉଛି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚିନ୍ତାକୁ ବଢାଇ ଦେଇଛି । ଏହାରି ଭିତରେ ପୂର୍ବତନ କ୍ୟାପଟେନ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ସୁନୀଲ ଗାଭାସ୍କର କହିଛନ୍ତି, ମେଲବର୍ଣ୍ଣ ଟେଷ୍ଟରେ ପୃଥ୍ୱୀ ସ’ଙ୍କ ସ୍ଥାନରେ କେଏଲ ରାହୁଲ ଖେଳିବା ଆବଶ୍ୟକ । ଏବଂ ଭଲ ଫର୍ମରେ ଥିବା ଶୁଭମନ ଗିଲ, ୫ କିମ୍ବା ୬ନମ୍ବରରେ ପଡିଆକୁ ଓହ୍ଲାଇବାର ଆବଶ୍ୟକତା ରହିଛି । ନୂଆରୁ ଆରମ୍ଭ କଲେ ଖେଳକୁ ଫେରିପାରିବାର ସମ୍ଭାବନା ରହିଛି ।

ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଟିମରେ ପରିବର୍ତନକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହାରି ଭିତରେ ୱିକେଟ କିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଖେଳାଇବା ପାଇଁ ଦାବି ଉଠିଛି । ଟିମ ଇଣ୍ଡିଆ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି, କମିଟି ସେହି ସମୟରେ ସ୍ପଷ୍ଟ କରିଥିଲା ଯେ ଋଷଭ ପନ୍ଥ ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ପସନ୍ଦ ।

କେବଳ ଭାରତରେ ହେଉଥିବା ମ୍ୟାଚ ପାଇଁ ଆମକୁ ୬ନମ୍ବର ପରେ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ରହିଥାଏ । ଏଥିପାଇଁ ସେଠାରେ ଜଣେ ସ୍ପେଶାଲିଷ୍ଟ ୱିକେଟ କିପର ରଖିପାରିବେ । ମୋର ବିଶ୍ୱାସ ଅଛି ଯେ ଋଷଭ ଗତ ମାସ ନିଜ ଫ୍ୟାଟନେସକୁ ନେଇ କାମ କରିବା ସହ ଗୋଲାପୀ ବଲରେ ମଧ୍ୟ ପ୍ରାକ୍ଟିସ କରିଛନ୍ତି । ତେବେ ସେମାନେ ଯଦି ଋଷଭକୁ ପରବର୍ତ୍ତୀ ୩ଟି ମ୍ୟାଚ ପାଇଁ ଦଳରେ ସାମିଲ କରନ୍ତି ତେବେ ପରିଚାଳନା କମିଟି ସହିତ ମୁଁ ସହମତ ।

ସେପଟେ ଇଂଲଣ୍ଡ ସ୍ପିନର ମଂଟି ପାନେସର କହିଛନ୍ତି ଯେ, ପିଙ୍କ ବଲ ମ୍ୟାଚ ଏକ କଷ୍ଟକର ବ୍ୟାପାର । ତେବେ ଆଡିଲେଡ ଟେଷ୍ଟରେ ଭାରତର ପ୍ରଦର୍ଶନକୁ ଏକ ଦୁଃସ୍ୱପ୍ନ ଭାବି ଭୁଲିଯିବା ଉଚିତ । କାରଣ ଗୋଟିଏ ଗୋଟିଏ ଦିନ ଏମିତି ଥାଏ ଯାହା ଆପଣଙ୍କର ପ୍ଲାନ ଅନୁଯାୟୀ କାର୍ଯ୍ୟକାରୀ ହୁଏନାହିଁ । ତେଣୁ ଆଡିଲେଡ ଟେଷ୍ଟକୁ ଭୁଲିଯାଇ ଭାରତ ଏକ ନୂଆ ଆରମ୍ଭ କରିବାର ଆବଶ୍ୟକତା ରହିଛି । ଆଡିଲେଡରେ ଶୋଚନୀୟ ପରାଜୟ ପରେ ୨୬ତାରିଖରେ ଆରମ୍ଭ ହେବାକୁ ଥିବା ମେଲବର୍ଣ୍ଣ ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି ।