ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି: ସଜାଗ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

606

କନକ ବ୍ୟୁରୋ: ପୂର୍ବରୁ ବହୁ ଥର ବାତ୍ୟାର ସଫଳ ମୁକାବିଲା କରି, ଦେଶ, ବିଦେଶରେ ପ୍ରଶଂସା ସାଉଁଟିଛନ୍ତି ରାଜ୍ୟ ସରକାର । ଆଉ ଏବେ ସେହି ଧାରାକୁ ବଜାୟ ରଖିବା ପାଇଁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି, ସଫଳତାର ସହ ମୁକାବିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଏକାଧିକ ଥର ଖରାଦିନିଆ ବାତ୍ୟା ଆସି, ଓଡିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ, ଓ ଗ୍ରୀଷ୍ମକାଳିନ ବାତ୍ୟା ଆକସ୍ମିକ ହୋଇଥିବାରୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଗ୍ରୀଷ୍ମ ଋତୁ ବାତ୍ୟାର ଗତି ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରୁହ । ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରୁହ । ଏଥିସହ ଓଡିଆରଏଫ୍, ଏନ୍ଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷକରି, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି । ଏନେଇ ସୂଚନା ଦେଇ ଏସଆରସି କହିଛନ୍ତି, ସ୍ଥିତିକୁ ଦେଖି, ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି । ୨୪ ଘଂଟିଆ କଂଟ୍ରୋଲ ରୁମ୍ ଆରମ୍ଭ ହୋଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସ୍କୁଲ ଛୁଟିଥିବାରୁ ସ୍କୁଲ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରିବାକୁ କୁହାଯାଇଛି । ସେହିପରି ଓଏଫଡିସିକୁ ଗଛକଟା ମେସିନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପାନୀୟ ଜଳ ଉପରେ ଫୋକସ୍ ପାଇଁ ପଂଚାୟତିରାଜ ବିଭାଗକୁ କୁହାଯାଇଛି । ବିଦ୍ୟୁତ ବିଭାଗକୁ ମ୍ୟାନ ପାୱାର ରଖିବାକୁ କୁହାଯାଇଛି ।

ବର୍ତମାନ ଯାଏଁ ବାତ୍ୟାର କୌଣସି ସୂଚନା ନାହିଁ ହେଲେ ମୁଖ୍ୟମନ୍ତ୍ରୀ ଆଗୁଆ ପ୍ରସ୍ତୁତ ରହିବାକୁ କହିଛନ୍ତି । ଖରାଦିନିଆ ବାତ୍ୟା ଆକସ୍ମିକ ହୋଇଥିବାରୁ ସମସ୍ତ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ତେବେ ଭୟବୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ।