ୟୁପିକୁ ନେଇ ଏଡିଆର ରିପୋର୍ଟରେ ବଡ ଖୁଲାସା, ବିଜେପିରେ ରହିଛନ୍ତି ସବୁଠାରୁ ଅଧିକ ଅପରାଧୀ ଓ ଧନୀ ବିଧାୟକ

115

କନକ ବ୍ୟୁରୋ : ୨୦୧୭ ବିଧାନସଭା ନିର୍ବାଚନ ଓ ଉପ ନିର୍ବାଚନରେ ବିଜୟୀ ହୋଇଥିବା ୟୁପିର ସମସ୍ତ ବିଧାୟକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଶପଥ ପତ୍ରକୁ ବିଶ୍ଳେଷଣ କରି ଏଡିଆର ଏକ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ମୁତାବକ ଏବେ ୟୁପି ବିଧାନସଭାରେ ଥିବା ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ ବିଧାୟକଙ୍କ ଉପରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ ବିଜେପି ବିଧାୟକ ରହିଛନ୍ତି ।

ୟୁପି ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେଠାରେ ରାଜନୀତି ସେତେ ସରଗରମ ହେବାରେ ଲାଗିଛି । ଏହାକୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିପର୍ମସ୍ (ଏଡିଆର) ନେତାଙ୍କ ସମ୍ପତ୍ତି ଓ ସେମାନଙ୍କ ଉପରେ ଦାଖଲ ହୋଇଥିବା ମାମଲାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ।

ଲୋକତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ବ୍ୟବସ୍ଥା ଓ ନେତାଙ୍କ ଉପରେ ନଜର ରଖୁଥିବା ଏଡିଆର ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏବେର ବିଧାୟକଙ୍କ ପୂରା କୁଣ୍ଡଳୀ ଖୁଲିଦେଇଛି । ଏହି ରିପୋର୍ଟ ମୁତାବକ ୟୁପି ବିଧାନସଭାରେ ଏବେ ଥିବା ସମସ୍ତ ବିଧାୟକଙ୍କ ମଧ୍ୟରୁ ୩୫ ପ୍ରତିଶତ ବିଧାୟକଙ୍କ ନାମରେ ଅପରାଧିକ ମାମଲା ରହିଛି ଓ ସେମାନଙ୍କ ମଧ୍ୟରେ କେବଳ ବିଜେପିର ୧୦୬ ବିଧାୟକ ରହିଛନ୍ତି । କେବଳ ସେତିକି ନୁହେଁ ସବୁଠାରୁ ଅଧିକ ଧନୀ ବିଧାୟକ ବିଜେପି ଟିକେଟରୁ ଜିତିଥିବା ଏଡିଆର ତାର ରିପୋର୍ଟରେ କହିଛି ।
ୟୁପି ବିଧାନସଭାରେ ମୋଟ ୪୦୩ ଜଣ ବିଧାୟକ ଥିବା ବେଳେ ୩୯୬ ବିଧାୟକଙ୍କ ଶପଥପତ୍ରକୁ ନେଇ ଏଡିଆର ସର୍ଭେ କରିଛି । ୩୯୬ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୬,ସମାଜବାଦୀ ପାର୍ଟିର ୧୮ , ବହୁଜନ ସମାଜବାଦୀ ପାର୍ଟିର ୨ ଓ କଂଗ୍ରେସର ଜଣେ ବିଧାୟକଙ୍କ ଉପରେ ଅପରାଧିକ ମାମଲା ରହିଛି ।

ଆର୍ଥିକ ମାମଲାରେ ୩୯୬ ବିଧାୟକଙ୍କ ମଧ୍ୟରୁ ୩୧୩ ଜଣ ବିଧାୟକ କୋଟିପତି । ସବୁଠାରୁ ଅଧିକ କୋଟିପତି ବିଧାୟକ ବିଜେପିରୁ ଆସିଛନ୍ତି । ସେପଟେ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ମୋଟ ୩୯୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ବିଧାୟକଙ୍କ ଯୋଗ୍ୟତା ଅଷ୍ଟମ ରୁ ଦ୍ୱାଦଶ ପାସ୍, ୨୯୦ ବିଧାୟକ ଗ୍ରାଜୁଏଟ, ୪ ବିଧାୟକ କେବଳ ସ୍ୱାକ୍ଷର ଓ ୫ ଜଣ ବିଧାୟକ ଡିପ୍ଲୋମା ପାସ୍ କରିଛନ୍ତି ।