କୋଟି କୋଟି ଟଙ୍କା କେଉଁଠୁ ପାଉଛନ୍ତି ରାଜନୈତିକ ଦଳ? ଏଡିଆର ରିପୋର୍ଟ ଦେଲା ଏମିତି ତଥ୍ୟ…

195

କନକ ବ୍ୟୁରୋ: ରାଜନୈତିକ ଦଳମାନଙ୍କୁ ମିଳୁଥିବା ଟଙ୍କାକୁ ନେଇ ଗୁରୁବାର ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ରାଜନୈତିକ ଦଳମାନଙ୍କୁ ମିଳୁଥିବା ଟଙ୍କା କେଉଁଠୁ ଆସୁଛି, ଏହାର ପରିମାଣ କେତେ ସେନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜନୈତିକ ଦଳମାନଙ୍କୁ ମିଳୁଥିବା ଟଙ୍କାର ପ୍ରାୟ ଅଧାରୁ ଅଧିକ ଟଙ୍କା ‘ଅଜ୍ଞାତ ସ୍ରୋତ’ରୁ ଦଳମାନଙ୍କୁ ମିଳିଛି । ଅର୍ଥାତ, ଏହି ଟଙ୍କା କେଉଁଠୁ ଆସିଛି ଏବଂ କିଏ ଦେଇଛି ସେନେଇ କୌଣସି ବି ସୂଚନା ନାହିଁ ।

ଏଡିଆର ରିପୋର୍ଟ ମୁତାବକ ୨୦୧୯-୨୦ ବର୍ଷରେ ୨୫ଟି ଆଞ୍ଚଳିକ ଦଳ ମୋଟ ୮୦୩.୨୪ କୋଟି ଟଙ୍କା ଚାନ୍ଦା ଆକାରରେ ଅନୁଦାନ ପାଇଛନ୍ତି । ଯେଉଁଥିରୁ ୪୪୫.୭ କୋଟି ଟଙ୍କା ଅଜ୍ଞାତ ସ୍ରୋତରୁ ଆସିଛ. ଅର୍ଥାତ ଏହି ଟଙ୍କା କିଏ ଦେଇଛି ସେନେଇ କୌଣସି ସୂଚନା ନାହିଁ । ସେହିପରି ଦେଶର ୬ଟି ରାଷ୍ଟ୍ରୀୟ ରାଜନୈତିକ ଦଳମାନଙ୍କୁ ୨୦୧୯-୨୦ ବର୍ଷରେ ମୋଟ ୩୩୭୧.୪୧ କୋଟି ଟଙ୍କାର ଚାନ୍ଦା ବା ଅନୁଦାନ ମିଳିଛି । ଯେଉଁଥିରୁ ପାଖାପାଖି ୭୦ ପ୍ରତିଶତ ଟଙ୍କା ଅଜ୍ଞାତ ସ୍ରୋତରୁ ଆସିଛି ।

ଏଠାରେ ଜାଣି ରଖିବା ଉଚିତ୍ ଯେ, ରାଜନୈତିକ ଦଳମାନଙ୍କୁ ବିଭିନ୍ନ ପ୍ରକାରରେ ଅନୁଦାନ ମିଳିଥାଏ । ଯେଉଁ ଟଙ୍କାରେ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ଖର୍ଚ୍ଚ ତୁଲାଇବା ସହିତ ଅନେକ କାମ କରିଥାନ୍ତି । ତେବେ ଏହି ଅନୁଦାନ ବା ଚାନ୍ଦା ଚେକ୍ ଆକାରରେ ବା ନଗଦ ଟଙ୍କା ମଧ୍ୟ ହୋଇପାରେ । ସେହିପରି ଇଲେକ୍ଟୋରାଲ ବ୍ରାଣ୍ଡ ଜରିଆରେ ମଧ୍ୟ ରାଜନୈତିକ ଦଳମାନେ ଟଙ୍କା ପାଇଥାନ୍ତି । ତେବେ ୨୦ ହଜାର ଟଙ୍କାରୁ କମ୍ ଟଙ୍କାର ଚାନ୍ଦା ଏବଂ ଇଲେକ୍ଟୋରାଲ ବ୍ରାଣ୍ଡ ଜରିଆରେ ଦଳମାନଙ୍କୁ ଯେଉଁ ଟଙ୍କା ମିଳିଥାଏ, ତାହାର କୌଣସି ହିସାବ ତଥ୍ୟ ସାର୍ବଜନୀନ କରାଯାଇନଥାଏ । ଏହାକୁ ଅଜ୍ଞାତ ସ୍ରୋତ ବୋଲି ବିବେଚନା କରାଯାଏ ।

ଏଡିଆର ରିପୋର୍ଟ ମୁତାବକ, ବର୍ଷ ପରେ ବର୍ଷ ଏହି ଅଜ୍ଞାତ ସ୍ରୋତରୁ ଅନୁଦାନର ପରିମାଣ ବଢିବାକୁ ଲାଗିଛି । ତେବେ ଉଭୟ ଆଞ୍ଚଳିକ ଓ ଜାତୀୟ ଦଳକୁ ଏହି ଆକାରରେ କୋଟି କୋଟି ଟଙ୍କା ମିଳୁଛି । ରିପୋର୍ଟ ମୁତାବକ, ତେଲେଙ୍ଗାନାର ଟିଆରଏସକୁ ୮୯.୧୫୮ କୋଟି ଟଙ୍କା ଅଜ୍ଞାତ ସ୍ରୋତରୁ ମିଳିଛି । ସେହିପରି ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସକୁ ୭୪.୭୫ କୋଟି ଟଙ୍କା, ଟିଡିପିକୁ ୮୧.୬୯୪ କୋଟି ଟଙ୍କା ଅଜ୍ଞାତ ସ୍ରୋତ ଆକାରରେ ମିଳିଛି । ଓଡିଶାର ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳକୁ ୨୦୧୯-୨୦ ଆର୍ଥିକ ବର୍ଷରେ ୫୦.୫୮୬ କୋଟି ଟଙ୍କା ଅଜ୍ଞାତ ସ୍ରୋତରୁ ମିଳିଛି ବୋଲି ଏଡିଆର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।

ଅନ୍ୟପଟେ ଜାତୀୟ ଦଳ କଥା ଦେଖିଲେ, ବିଜେପି ଏହି ଲିଷ୍ଟରେ ସବୁଠୁ ଉପରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିକୁ ଅଜ୍ଞାତ ସ୍ରୋତରୁ ମୋଟ ୨୬୪୨.୬୩ କୋଟି ଟଙ୍କା ମିଳିଛି । ସେହିପରି କଂଗ୍ରେସକୁ ମୋଟ ୫୨୬ କୋଟି ଟଙ୍କା ଅଜ୍ଞାତ ସ୍ରୋତ ଆକାରରେ ମିଳିଛି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି ।