ଏଡିଆର ରିପୋର୍ଟରେ ଆସିଲା ଧନୀ ନେତାଙ୍କ ତାଲିକା । ଜାଣନ୍ତୁ କେଉଁ ଦଳରେ ଅଛନ୍ତି କେତେ କୋଟିପତି ପ୍ରାର୍ଥୀ

190

କନକ ବ୍ୟୁରୋ: ପ୍ରକାଶ ପାଇଲା ସମସ୍ତ ପର୍ଯ୍ୟାୟ ନିର୍ବାଚନର ଏଡିଆର ରିପୋର୍ଟ । ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ପ୍ରାର୍ଥୀମାନଙ୍କ ଅପରାଧିକ, ଆର୍ଥିକ, ଶିକ୍ଷାଗତ ଆଦି ପୃଷ୍ଠଭୂମି ଉପରେ ବିଶ୍ଳେଷଣ କରାଯାଇଛି । ରିପୋର୍ଟ ଅନୁସାରେ ସବୁଠୁ ଧନି ତାରିକାରେ ଅଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି, କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଂଜନ ପଟ୍ଟନାୟକ ଏବଂ ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଡିଆର ରିପୋର୍ଟ ଅନୁସାରେ ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି କଂଗ୍ରେସର ଦୁଇ ବିଧାୟକ ପ୍ରାର୍ଥୀ । ତଥା ପିସିସି ସଭାପତି ତଥା କଂଗ୍ରେସର ଭଣ୍ଡାରୀ ପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବଡମ୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି । ତେବେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ରାଜ୍ୟର ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ । ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ ରହିଛନ୍ତି କୋଟିପତି । ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି । ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ତେବେ ୨୦୧୪ ଅପେକ୍ଷା ୨୦୧୯ରେ ନେତାଙ୍କ ଅପରାଧୀକ ମାମଲା ବୃଦ୍ଧି ପାଇଛି । ଗତ ନିର୍ବାଚନରେ ନେତାଙ୍କ ନାଁରେ ଅପରାଧିକ ମାମଲା ୨୩ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢିକି ୩୦ ପ୍ରତିଶତ ହୋଇଛି । ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସରେ ୪୬ ପ୍ରତିଶତ ଏବଂ ବିଜେପିରେ ସର୍ବାଧିକ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା ।

ଅନ୍ୟପକ୍ଷରେ, ଚଳିତ ଥର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରୁ ୪୭୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ପଂଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାସ୍ । ସେହିପରି ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତ ତଥା ତଦୁର୍ଦ୍ଧ ୮ ଜଣ ପ୍ରାର୍ଥୀ କେବଳ ସ୍ୱାକ୍ଷର ଅଛନ୍ତି । ତେବେ ବିଧାନସଭାରେ ବିଜୁ ଜନତା ଦଳ ସର୍ବାଧିକ ମହିଳା ପ୍ରାର୍ଥୀ ତଥା ୧୯ ଜଣ ମହିଳା ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ୧୩ ଏବଂ ବିଜେପି ଦେଇଛି ୧୨ ଜଣ ମହିଳା ପ୍ରାର୍ଥୀ ।

ଧନୀ ବିଧାୟକ ପ୍ରାର୍ଥୀ ତାଲିକା

 

ନେତା                             ଦଳ           ଆସନ

ବବି ମହାନ୍ତି                     କଂଗ୍ରେସ      ବଡମ୍ବା

ନିରଂଜନ ପଟ୍ଟନାୟକ         କଂଗ୍ରେସ      ଭଣ୍ଡାରୀପୋଖରୀ, ଘସିପୁରା

ନବୀନ ପଟ୍ଟନାୟକ            ବିଜେଡି        ବିଜେପୁର, ହିଂଜିଳୀ

କେଉଁ ଦଳରେ କେତେ କୋଟିପତି?

ଦଳ                  କୋଟିପତି

ବିଜେଡି            ୬୬%

କଂଗ୍ରେସ          ୫୩%

ବିଜେପି           ୫୨%

କେଉଁ ଦଳରେ କେତେ ଦାଗୀ ନେତା?

ଦଳ                  ପ୍ରତିଶତ

ବିଜେପି              ୫୯%

କଂଗ୍ରେସ            ୪୬%

ବିଜେଡି             ୪୦%