ନବନିର୍ବାଚିତ ବିଧାୟକଙ୍କ ଉପରେ ଆସିଲା ଏଡିଆର ରିପୋର୍ଟ । ୨୦୧୪ ତୁଳନାରେ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଅଧିକ ଅପରାଧିକ ମାମଲା ଥିବା ନେତା

ସରିଛି ବିଧାନସଭା ନିର୍ବାଚନ

286

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ସରିଛି । ବିଜେଡିକୁ ମିଳିଛି ପ୍ରଚଣ୍ଡ ବହୁମତ । ବିଧାୟକମାନେ ନିର୍ବାଚିତ ହେବା ପରେ ଏବେ ଆସିଛି ସେମାନଙ୍କ ଏଡିଆର ରିପୋର୍ଟ । ତେବେ ୨୦୧୪ ତୁଳନାରେ ୨୦୧୯ରେ ଅପରାଧ ମାମଲା ଥିବା ନବନିର୍ବାଚିତ ବିଧାୟକଙ୍କ ସଂଖ୍ୟା ବଢିଛି । ନବନିର୍ବାଚିତ ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅର୍ଥାତ ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୧୪ରେ ଏହା ଥିଲା ୩୫ ପ୍ରତିଶତ । ଅର୍ଥାତ ୫୨ ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ଥିଲା ।

ସେହିଭଳି ୨୦୧୯ରେ ୩୪ ପ୍ରତିଶତ ଅର୍ଥାତ ୪୯ ଜଣ ବିଧାୟକଙ୍କ ନାଁରେ ହତ୍ୟା, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧିକ ମାମଲା ରହିିଛି । ୨୦୧୪ରେ ଏହା ୨୮ ପ୍ରତିଶତ ଥିଲା । ଅର୍ଥାତ ୪୧ ଜଣ ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଥିଲା । ସେହିଭଳି ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟପତି ବିଧାୟକ । ମୋଟ ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ବିଧାୟକ । ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରେ ୭୯ ଜଣ ହେଉଛନ୍ତି କୋଟିପତି । ସେହିପରି ବିଜେପିର ନିର୍ବାଚିତ ୨୩ ବିଧାୟକଙ୍କ ମଧ୍ୟରେ ୯ ଜଣଙ୍କ ସଂପତି ଏକ କୋଟିରୁ ଅଧିକ ।

image courtesy – odishaassembly.nic.in/

ତେବେ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରେ ୭ ଜଣ ହେଉଛନ୍ତି କୋଟିପତି ।ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୨୮ ଜଣଙ୍କ ସଂପତି ୫ କୋଟିରୁ ଅଧିକ ଏବଂ ୪ ବିଧାୟକଙ୍କ ସଂପତି ୧୦ ଲକ୍ଷରୁ କମ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ବିଧାୟକ ମାନଙ୍କ ସତ୍ୟପାଠକୁ ଅନୁଶୀଳନ କରି ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭୋଗରାଇ ବିଧାୟକ ଅନନ୍ତ ଦାସ ସବୁଠୁ ବୟସ୍କ ବିଧାୟକ । ଦୁହିଁଙ୍କ ବୟସ ୭୮ ବର୍ଷ । ସେହିପରି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ସର୍ବ କନିଷ୍ଠ ବିଧାୟକ । ତାଙ୍କ ବୟସ ୨୭ ବର୍ଷ ।