ରାଜ୍ୟ ଗରିବ, ହେଲେ ନେତାଙ୍କ ପକେଟ୍ ଗରମ । ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଧନୀ ବବି ମହାନ୍ତି, ଦ୍ୱିତୀୟରେ ନବୀନ, ତୃତୀୟରେ ନିରଞ୍ଜନ ।

190

କନକ ବ୍ୟୁରୋ : କେଉଁ ପ୍ରାର୍ଥୀଙ୍କ କେତେ ସଂପତି ? କେଉଁ ଦଳର ପ୍ରାର୍ଥୀଙ୍କ ନାଁରେ ରହିଛି ସର୍ବାଧିକ ଅପରାଧିକ ମାମଲା ? ଏ ନେଇ ଆସିଛି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଏଡିଆର ରିପୋର୍ଟ । ରାଜ୍ୟର ସମସ୍ତ ୪ଟି ଯାକ ପର୍ଯ୍ୟାୟରେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଧନୀ ହେଉଛନ୍ତି ବଡମ୍ବା କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି । ଦ୍ୱିତୀୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତୃତୀୟରେ ରହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେହିପରି ବିଜେଡିରେ ସର୍ବାଧିକ କୋଟିପତି ପ୍ରାର୍ଥୀ ଥିବାବେଳେ ବିଜେପିରେ ସର୍ବାଧିକ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା ।

ଗରିବ ରାଜ୍ୟ ହେଲେ ନେତାଙ୍କ ପକେଟ୍ ଗରମ । ବଢ଼ିଛି ନେତାଙ୍କ ନାଁରେ ଅପରାଧିକ ମାମଲା । ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଆସିଛି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଏଡିଆର ରିପୋର୍ଟ । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ବିଧାନସଭା ଆସନ ପାଇଁ ସବୁଠୁ ଧନୀ ହେଉଛନ୍ତି ବଡମ୍ବା କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି । ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତି ପରିମାଣ ହେଉଛି ୧୦୬ କୋଟି ଟଙ୍କା । ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହିଞ୍ଜିଳି ଓ ବିଜେପୁର ଆସନରୁ ଲଢୁଥିବା ବିଜେଡି ସୁପ୍ରିମୋ ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଙ୍କ ମୋଟ ସଂପତି ହେଉଛି ପ୍ରାୟ ୬୩ କୋଟି ୮୭ ଲକ୍ଷ ଟଙ୍କା । ସେହିପରି ଭଣ୍ଡାରୀପୋଖରୀ ଓ ଘଷିପୁରାରୁ ଲଢ଼ୁଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ରହିଛନ୍ତି ତୃତୀୟ ସ୍ଥାନରେ । ତାଙ୍କର ସଂପତି ହେଉଛି ୬୦ କୋଟି ୩୪ ଲକ୍ଷ ଟଙ୍କା ।

ସେହିଭଳି ବିଧାନସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ । ବିଜେଡିର ୬୬ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି । ତୃତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି ।

ତେବେ ୨୦୧୪ ଅପେକ୍ଷା ୨୦୧୯ରେ ନେତାଙ୍କ ଅପରାଧିକ ମାମଲା ବୃଦ୍ଧି ପାଇଛି । ଗତ ନିର୍ବାଚନରେ ନେତାଙ୍କ ନାଁରେ ଅପରାଧିକ ମାମଲା ୨୩ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢି ହୋଇଛି ୩୦ ପ୍ରତିଶତ । ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସରେ ୪୬ ପ୍ରତିଶତ ଏବଂ ବିଜେପିରେ ସର୍ବାଧିକ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା ।

୧୧୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୨୧ ଜଣଙ୍କ ସତ୍ୟପାଠକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଚଳିତ ଥର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରୁ ୪୭୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ପଂଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାସ୍ । ସେହିପରି ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତ ଥିବାବେଳେ ୮ ଜଣ ପ୍ରାର୍ଥୀ କେବଳ ସ୍ୱାକ୍ଷର କରିବାକୁ ସକ୍ଷମ । ସେପଟେ ମହିଳା ପ୍ରାର୍ଥୀଙ୍କ ସମ୍ପର୍କରେ ବି ଆସିଛି ଇଲେକ୍ସନ ୱାଚ୍ ଓ ଏଡିଆରର ରିପୋର୍ଟ । ବିଧାନସଭା ପାଇଁ ବିଜୁ ଜନତା ଦଳ ସର୍ବାଧିକ ୧୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୧୩ ଏବଂ ବିଜେପି ୧୨ ଜଣ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି ।