କନକ ବ୍ୟୁରୋ: ଏଡିଆର୍ ରିପୋର୍ଟ ଖୋଲିଲା ନେତାଙ୍କ ଅପରାଧ ତାଲିକା । ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଆଉ ଏହା ଭିତରୁ ୪୬ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ବିଧାୟକମାନଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ôଥକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Advertisment

ନିର୍ବାଚିତ ବିଧାୟକଙ୍କ ଅସଲ ମୁଖା ଖୋଲି ଦେଇଛି ଏଡିଆର ରିପୋର୍ଟ । ସ୍ୱଚ୍ଛଭାବ ମୂର୍ତୀ ତଳେ ଲୁଚି ରହିଥିବା ଅପରାଧର ଦାଗ ସାମ୍ନାକୁ ଆସିଛି । ନେତାଙ୍କ ସତ୍ୟପାଠ ଆଧାରରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଅନୁସାରେ ଓଡ଼ିଶାର- ୪୪% ବା ୬୪ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ୩୨% ବା ୪୬ ଜଣ ବିଧାୟକଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ସେହିପରି ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା ମାମଲା, ୧୧ ଜଣ ବିଧାୟକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ଏବଂ ୧୨ ଜଣ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ଶାସକ ବିଜେଡି ଦଳର ୧୧୩ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଓଡ଼ିଶାର ୧୪୫ ବିଧାୟକଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଆସିଥିବା ଏହି ତଥ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

ଏଡିଆର ପକ୍ଷରୁ ଦେଶର ୨୮ଟି ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକମାନଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ବିଧାୟକଙ୍କ ଅପରାଧିକ ପୃଷ୍ଠଭୂମି, ଆର୍ôଥକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ରିପୋର୍ଟ ପ୍ରକାଶ ପାଇଛି ।