ଏହି ୫ଟି ସରଳ ଉପାୟ ଆପଣାନ୍ତୁ  । ସୁସ୍ଥ ନିରାମୟ ଜୀବନ ବଞ୍ଚନ୍ତୁ ।

2,476

କନକ ବ୍ୟୁରୋ: କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯେପର୍ଯ୍ୟନ୍ତ କିଛି ଅସୁସ୍ଥତାର ଶିକାର ନହେବା ଯାଏଁ ସୁସ୍ଥ ଶରୀରର ମହତ୍ତ୍ୱ ଅନେକ ବୁଝନ୍ତି ନାହିଁ । ହେଲେ ଥରେ ରୋଗାକ୍ରାନ୍ତ ହୋଇଗଲେ ତା’ର ଭରଣା କରିବା ପ୍ରକୃତରେ କେତେ କଷ୍ଟକର ଯିଏ ଭୋଗିଛି ସିଏ ଜାଣିଛି । ତେଣୁ ଏକ ସୁସ୍ଥ ଶରୀର ହିଁ ମଣିଷ ପାଇଁ ଶ୍ରେଷ୍ଠ ସମ୍ପଦ । ଏକ ସୁସ୍ଥ ଶରୀର ପାଇଁ ଆବଶ୍ୟକ କିଛି ମାତ୍ର ସମୟ ଆଉ କିଛି ସରଳ ଉପାୟ  ।ଆଜି ଆମେ ଏପରି କିଛି ଉପାୟ ବିଷୟ ଉପରେ ଆଲୋକପାତ କରିବା ଯାହା ଅତି ସରଳ କିନ୍ତୁ ଏହାର ପ୍ରୟୋଗ ଏକ ସୁସ୍ଥ , ନିରୋଗ ଜୀବନର ଚାବିକାଠି । ତେବେ ଆସନ୍ତୁ ଜାଣିବା କିଛି ସ୍ମାର୍ଟ ଫର୍ମୁଲା ।

ବାମକଡ ମାଡି ଶୁଅନ୍ତୁ- ସବୁବେଳେ ବାମକଡ ମାଡି ଶୁଅନ୍ତୁ । ହେଲେ କାହିଁକି? ଆମ ପାକସ୍ଥଳୀର ଆକାର ଓ ସ୍ଥିତି ଏପରି ହୋଇଛି ଯେ, ଡାହାଣ କଡ ମାଡି ଶୋଇଲେ ପାଚନ ପ୍ରକିୟା ବାଧାପ୍ରାପ୍ତ ହେବା ସହ , ରକ୍ତ ପ୍ରବାହରେ ସମସ୍ୟା ହୋଇଥାଏ । କିନ୍ତୁ ବାମକଡ ମାଡି ଶୋଇଲେ ଖାଦ୍ୟ ହଜମ ପ୍ରକିୟା ସହଜ ହୋଇଥାଏ, ଫଳରେ ଶରୀରର ପୁରା ପ୍ରକ୍ରିୟା ଠିକ ଭାବେ ସମ୍ପାଦିତ ହୋଇଥାଏ ।

ଉଚିତ ପରିମାଣର ପାଣି ପିଅନ୍ତୁ- ସାଧାରଣତଃ ଶୋଷ ଲାଗିଲେ ହିଁ ଅଧିକାଂଶ ପାଣି ପିଅନ୍ତି । ହେଲେ ଏପରି ନକରି ଅବଶ୍ୟକ ପରିମାଣରେ ପାଣି ପିଅନ୍ତୁ । ଦିନକୁ ଅନ୍ତତଃ ୨.୫ ରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫ୍ରିଜ୍ ପାଣି ନପିଇ ସାମାନ୍ୟ ତାପମାତ୍ରାର ପାଣି ହିଁ ପିଅନ୍ତୁ । କାରଣ ଅତି ଥଣ୍ଡା ପାଣି ପାଚନ ପ୍ରକ୍ରିୟାକୁ ବିଗାଡି ଦେଇ ପେଟ ସମସ୍ୟା ସୃଷ୍ଟି କରେ ।

ନିୟମିତ ଚାଲନ୍ତୁ- ଆଜିକାର ବ୍ୟସ୍ତବହୁଳ ଜୀବନରେ ସମୟ ଅଭାବରୁ ଚାଲିବାକୁ ଅନେକ ଭୁଲିଯାଉଛନ୍ତି । କିନ୍ତୁ ଜାଣନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଶରୀରକୁ ସୁସ୍ଥ ରଖିବାକୁ ବେଶ ସହାୟକ ହୋଇଥାଏ । ବୈଜ୍ଞାନିକ ଲର୍ଡ କେଲଭିନ୍ କହିଯାଇଛନ୍ତି ‘If you cann’t measure your steps, you cann’t improve’  । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ମୁତାବକ, ଦିନକୁ ଅନ୍ତତଃ ୮୦୦୦ ପାଦ ଚାଲିବା ଉଚିତ । ତେଣିକି ଆପଣ ସମତଳ ସ୍ଥାନରେ ଚାଲନ୍ତୁ ବା ସିଢିରେ ଚଢନ୍ତୁ ।

ଖାଦ୍ୟ ଚୋବାଇ ଖାଆନ୍ତୁ- ଖାଦ୍ୟକୁ ୩୨ ଥର ଚୋବାଇ ଖାଆନ୍ତୁ । ଆୟୁର୍ବେଦରେ କୁହାଯାଇଛି ସବୁର ମୂଳ ଆମ ପେଟ  ।ଯଦି ଆମ ପେଟ ସୁସ୍ଥ ଓ ଠିକଠାକ ଅଛି ତାହାଲେ ପୁରା ଶରୀର ସୁସ୍ଥ ରହିବ ନିଶ୍ଚୟ । ଏହା ଦୁଇଟି ଉପାୟରେ ହୋଇପାରିବ । ପ୍ରଥମେ ଜଙ୍କ୍ ଫୁଡରୁ ଦୂରେଇ ରହିବା ଓ ଏହା ହଜମ ଠିକ ହେଉଥିବା ଆବଶ୍ୟକ । ଆପଣ ଜାଣନ୍ତି ଏହା ଗୋଟିଏ ସରଳ ଉପାୟରେ ସମ୍ଭବ । ଆପଣ ଖାଦ୍ୟକୁ ଅନ୍ତତଃ ୩୨ ଥର ଚୋବାଇ ଖାଆନ୍ତୁ । ସବୁଠୁ ରୋଚକ ହେଉଛି ୩୨ ଥର ଚୋବାଇ ଖାଇବା ଦ୍ୱାରା କୌଣସି ଜଙ୍କ ଫୁଡର କିଛି ଟେଷ୍ଟ ରହୁନଥିବାବେଳେ ସ୍ୱାସ୍ଥ୍ୟପଦ ଖାଦ୍ୟକୁ ସେତିକି ଥର ଚୋବାଇଲେ ତାର ସ୍ୱାଦ ଦୁଇ ଗୁଣା ହୋଇଯାଏ । ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ୩୨ଥର ଚୋବାଇ ଖାଇବା ଦ୍ୱାରା ପାଟିରେ ହିଁ ୫୦% ହଜମ କ୍ରିୟା ହୋଇଯିବା ସହ ପାକସ୍ଥଳୀରେ ବାକି ୫୦% ଖାଦ୍ୟ ହଜମ ହୁଏ । ତେଣୁ ଏହି ଅଭ୍ୟାସକୁ ଆରମ୍ଭ କରନ୍ତୁ ।

ସକାରାତ୍ମକ ପରିବେଶଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ନିଜ ପାଇଁ ଏକ ସକାରାତ୍ମକ ପରିବେଶ ଗଢିବା । ଏହାର ଅର୍ଥର୍ ହେଉଛି ଅନେକଙ୍କର ଏପରି କିଛି ସଙ୍ଗତ ଥାନ୍ତି ଯେଉଁମାନେ ମଉଜମସ୍ତି କରିବାକୁ ଭଲ ପାଆନ୍ତି, ଏହି କ୍ରମରେ ଅନେକ ବଦଭ୍ୟାସ ଜାଲରେ ପଡିଯାନ୍ତି । ହେଲେ ଚେଷ୍ଟା କରନ୍ତୁ ଏପରି କିଛି ବନ୍ଧୁ କରିବାକୁ ଯେଉଁମାନଙ୍କର ଭଲ ଅଭ୍ୟାସ ଥିବ, ଯେଉଁମାନେ ନିଜ ଶରୀର ପ୍ରତି ସଚେତନ ଥିବେ । ସେମାନଙ୍କ ସାଙ୍ଗରେ ଆପଣ ମଧ୍ୟ ଅନେକ ଭଲ ଅଭ୍ୟାସକୁ ନିଜ ଜୀବନରେ ଆପଣାଇପାରିବେ ।

ତେଣୁ ଉପରୋକ୍ତ ଏହି ଅଭ୍ୟାସ ପାଇଁ କିଛି ସ୍ୱତନ୍ତ୍ର ସମସର ଆବଶ୍ୟକତା ନାହିଁ, ବରଂ ଆବଶ୍ୟକ ସଚେତନତା ।