କନକ ବ୍ୟୁରୋ : କିଛି ବର୍ଷ ପୂର୍ବେ ନାନା ପାଟେକରଙ୍କ ଏକ ଫିଲ୍ମ ଆସିଥିଲା ତା ନାଁ ଥିଲା 'ଅବ ତକ୍ ଛପନ୍" , ଚଳଚ୍ଚିତ୍ରର ମୁଖ୍ୟ ନାୟକ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ସେ ମାରିଥିବା ଅପରାଧୀଙ୍କ ସଂଖ୍ୟା ହେଉଛି ୫୬ । ଯାହାକୁ କୁହା ଯାଉଥିଲା 'ଅବ ତକ୍ ଛପନ୍" ଅର୍ଥ ସେ ପର୍ଯ୍ୟନ୍ତ ସିଏ ୫୬ ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ।
ସମ୍ପୂର୍ଣରୂପେ ସେମିତି ନହେଲେ ମଧ୍ୟ ସେହି ଭଳି ପାକିସ୍ଥାନରେ ଜଣକ ପରେ ଜଣେ ହେଇ ୨୨ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହତ୍ୟା କରାଗଲାଣି । ଆତଙ୍କବାଦୀ ମାନଙ୍କ ପାଇଁ ସ୍ଵର୍ଗ କୁହାଯାଉଥିବା ପାକିସ୍ଥାନରେ ପୁଣି କିଏ କରୁଛି ଭାରତର ଶତ୍ରୁମାନଙ୍କୁ ଏମିତି ହତ୍ୟା ???
ଗତ ୪ ତାରିଖ ଦିନ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର କୁଖ୍ୟାତ ଆତଙ୍କବାଦୀ ସାଜିଦ ମୀରକୁ ପାକିସ୍ଥାନର ଏକ ଜେଲରେ ବିଷ ଦେଇଥିବାର ଅଭିଯୋଗ ହୋଇଥିଲା । ତାକୁ ବାହାବଲପୁରର ସାମରିକ ଡାକ୍ତରଖାନାକୁ ନିଆଯାଇଥିଲା । ତାର ଅବସ୍ଥା ଗୁରୁତର ଥିବା କୁହାଯାଉଛି । ବର୍ତ୍ତମାନ ତାର ଅବସ୍ଥା କେମିତି ଅଛି ସେ ବିଷୟରେ କିଛି ଖବର ମିଳିପାରିନାହିଁ । ଏହି ମାମଲାରେ ଜେଲର ଜଣେ ରୋଷେଇଆକୁ ଖୋଜା ଚାଲିଛି ।
ସାଜିଦ ମୀରକୁ ହତ୍ୟା ଉଦ୍ୟମ ଓ ହଞ୍ଜାଲା ଅହମ୍ମଦକୁ ହତ୍ୟା ପ୍ରାୟ ଏକ ସମୟରେ ହେଇଥିବାର ଜଣାପଡିଛି । ପାକିସ୍ଥାନ ସେନାର ଓ ISI ଚାପରେ ଏପରି ଖବର ସବୁକୁ ଯଥାସମ୍ଭବ ଚାପି ଦିଆଯାଉଛି ।
୨୦୧୬ ପମ୍ପୋର ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ ହଞ୍ଜାଲା ଅହମ୍ମଦକୁ କରାଚିରେ ଗୁଳି କରି ହତ୍ୟା କରାଯାଇଛି । । ଏହି ଘଟଣା ତିନି-ଚାରି ଦିନ ପୂର୍ବରୁ ଘଟିଥିଲା କିନ୍ତୁ ଗତକାଲି ଗଣମାଧ୍ୟମରେ ଆସିଥିଲା । ଏହା ପ୍ରଥମ ଘଟଣା ନୁହେଁ। ବିଗତ କିଛିଦିନ ମଧ୍ୟରେ ଆମେ ଦେଖିଛୁ ଯେ ଗୋଟିଏ ପରେ ଗୋଟିଏ, ପ୍ରାୟ ଦୁଇ ଡଜନ ଆତଙ୍କବାଦୀ ବିଭିନ୍ନ ଆକ୍ରମଣରେ ହତ୍ୟାର ଶିକାର ହୋଇଛନ୍ତି । ଗତକାଲି ପାକିସ୍ତାନ, କରାଚିରୁ ଏକ ଚଞ୍ଚଲ୍ୟକାର ଖବର ଆସିଥିଲା । ଯେଉଁଠାରେ କରାଚିରେ ଲଶ୍କର ଆତଙ୍କବାଦୀ ଅଦନନ୍ ଅହମ୍ମଦ ଓରଫ ହଞ୍ଜାଲା ଅହମ୍ମଦଙ୍କୁ ଗୁଳି କରାଯାଇଥିଲା । ଜାମ୍ମୁ କାଶ୍ମୀରରେ ଆଦନନ୍ ବହୁବର୍ଷ ଧରି ସକ୍ରିୟ ରହିଛି । ସେ ୨୦୧୫ ଓ ୨୦୧୬ ରେ ଉଦ୍ଧାମପୁର ଏବଂ ପାମ୍ପୋରରେ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।
କୌତୁହଳ ବିଷୟ ହେଉଛି ଯେ ହାନଜାଲା ଅହମ୍ମଦକୁ ଡିସେମ୍ବର ୨ ତାରିଖ ରାତିରେ ଆକ୍ରମଣ କରାଯାଇଥିଲା କିନ୍ତୁ ଗତକାଲି ଏହି ସୂଚନା ଗଣମାଧ୍ୟମକୁ ଆସିଥିଲା । ପାକିସ୍ଥାନୀ ସେନା ଏହି ଖବରକୁ ଲୁଚେଇବାକୁ ବହୁତ ପ୍ରୟାସ କରିଥିଲା । ପୂର୍ବ ପରି, ଏହି ଅପରାଧ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ । କିଏ ଅଦନନ୍ ଅହମ୍ମଦ ଓରଫ ହଞ୍ଜାଲା ଅହମ୍ମଦର ଜୀବନ ନେଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଚଳିତ ବର୍ଷ ଏପର୍ଯ୍ୟନ୍ତ ପ୍ରାୟ ଦୁଇ ଡଜନ ଆତଙ୍କବାଦୀ ରହସ୍ୟମୟ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଦାଉଦ ମଲିକ, ସହିଦ ଲତିଫ ଏବଂ ମୁଫତି କାଇସ ଛଡା ଏମାନଙ୍କ ପୂର୍ବରୁ ମୌଲନା କରିମ, ଖ୍ୱାଜା ସହିଦ, ଜାହିଦ ମିଷ୍ଟ୍ରି, ପରମଜିତ୍ ସିଂ ପଞ୍ଜୱାଡ ଏବଂ ମଲ୍ଲିକା ବାରହରାର ଆତଙ୍କବାଦୀମାନେ ଅଜ୍ଞାତ ଆତତାୟୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ଅବ ତକ୍ ୨୨ ଏହା ବ୍ୟତୀତ ଲଶ୍କର ମୁଖ୍ୟ ହାଫିଜ ସଇଦଙ୍କ ଭାଇ ହମିଦ, ଅଲ ବଦର କମାଣ୍ଡର ସୟଦ ଖାଲିଦ, ଲଶ୍କର କମାଣ୍ଡର ଆକ୍ରାମ ଗାଜି, ଲଶ୍କର ଆତଙ୍କବାଦୀ ରେହମାନ ଏବଂ ଜୈସର ଅନ୍ୟ କେତେକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ନିକଟ ଅତୀତରେ ଏଭଳି ହତ୍ୟାକାଣ୍ଡ ଯୋଗୁଁ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅନେକ ଆତଙ୍କବାଦୀ କ୍ରମାଗତ ଭାବରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଏଥିରେ ଦାଉଦ ଇବ୍ରାହିମ, ହାଫିଜ ସଇଦ, ଟାଇଗର ମେମୋନ, ମାସୁଦ ଅଜହର ଏବଂ ସୟଦ ସଲାହୁଦ୍ଦିନ୍ ଭଳି ଆତଙ୍କବାଦୀଙ୍କ ନାମ ଅନ୍ତର୍ଭୁକ୍ତ । ନିକଟରେ ହଞ୍ଜାଲା ଅହମ୍ମଦ ସ୍ଥାନ ପରିବର୍ତ୍ତନ କରିଥିଲା ଏହି ଆକ୍ରମଣରେ ପ୍ରାୟ ଦୁଇ ଡଜନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଅଜଣା ଆକ୍ରମଣକାରୀଙ୍କ ଟାର୍ଗେଟରେ ଆଉ କିଛି ଆତଙ୍କବାଦୀ ରହିଥିବାର ସମ୍ଭାବନା ରହିଛି । ସେଥିପାଇଁ କୁହାଯାଉଛି ଯେ ଦାଉଦ ଇବ୍ରାହିମ, ହାଫିଜ ସଇଦ ଭଳି ଆତଙ୍କବାଦୀମାନେ ଆଇଏସଆଇ ଅର୍ଥାତ୍ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସିର ସେଫ ହାଉସରେ ବି ସେଫ ନାହାନ୍ତି । କରାଚିରେ ଅଦନନ୍ ଅହମ୍ମଦ ଛଦ୍ମନାମ ହଞ୍ଜାଲା ଅହମ୍ମଦଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରାୱଲପିଣ୍ଡିରୁ କରାଚିକୁ ତା ଅପରେସନ୍ ବେସ୍ ସ୍ଥାନାନ୍ତର କରିଥିଲା କିନ୍ତୁ ଏହି ସ୍ଥାନାନ୍ତର ହିଁ ତା ଜୀବନ ନେଇଥିଲା ।