କଟକ ତାଳଦଣ୍ଡା କେନାଲରେ କାର ଖସିପଡ଼ିବା ପରେ ପ୍ରଶାସନର ତତ୍ପରତା: ଜଣଙ୍କ ଜୀବନ ଯିବା ପରେ ବାଉଁଶ ବାନ୍ଧି ତିଆରି କରାଗଲା ଅସ୍ଥାୟୀ ବାଡ଼ 

129

କନକ ବ୍ୟୁରୋ: କଟକ ତାଳଦଣ୍ଡା କେନାଲରେ କାର ଖସିପଡ଼ିବା ଘଟଣା ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଜଣଙ୍କ ଜୀବନ ଯିବା ପରେ କେନାଲ କଡ଼ରେ ପ୍ରଶାସନ ପକ୍ଷରୁ ବାଉଁଶ ବାନ୍ଧି ଅସ୍ଥାୟୀ ବାଡ଼ ତିଆରି କରାଯାଇଛି । ସାଧାରଣ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଅନ୍ୟପଟେ  ଏହି ଘଟଣାର ୨୪ ଘଂଟା ପରେ କଟକ କେଶରପୁରରୁ ଆସିଛି ଆଉ ଏକ ଦୁର୍ଘଟଣାର ଚିତ୍ର । ଜାଇକା ପ୍ରକଳ୍ପ ଚାଲିଥିବା ବେଳେ ଅଘଟଣ ଘଟିଛି । ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନରେ ପଡ଼ି ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ନାବାଳିକାର ବୟସ ୧୬ ବର୍ଷ ହେବ ବୋଲି ସୂଚନା ମିଳିଛି । ନାବାଳିକା ଜଣକ ଯାଉଥିବା ବେଳେ ଡ୍ରେନରେ ଖସି ପଡ଼ିଥିଲେ । ଦୀର୍ଘ ସମୟ ପରେ ତାଙ୍କୁ ସ୍ଥାନୀୟ ବାସିନ୍ଦାମାନେ ଉଦ୍ଧାର କରି ବଡ଼ ମେଡିକାଲକୁ ପଠାଇଥିଲେ । ସୂଚନା ଅନୁସାରେ, ଦୀର୍ଘ ଦିନ ଧରି କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଜାଇକା କାମ ଯୋଗୁଁ ଲୋକଙ୍କୁ ନାହିଁ ନଥିବା ସସମ୍ୟା ହେଉଛି । ବାରମ୍ବାର ଅଭିଯୋଗ ସତ୍ୱେ ଅସ୍ଥାୟୀ ରାସ୍ତା ତିଆରି କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ବଡ଼ କଥା ହେଉଛି, ନାବାଳିକା ଡ୍ରେନରେ ଫସିବା ନେଇ ଜାଇକା କର୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲେ ବି ସେମାନେ ଘଟଣାସ୍ଥଳକୁ ଆସିନଥିଲେ ।