କନକ ବ୍ୟୁରୋ : ଓଡ଼ିଶା ସୀମାବର୍ତ୍ତି ଗାଁରେ ପ୍ରଶାସନିକ ଅବହେଳା ଚରମ ସୀମାରେ । ବିଶେଷ କରି ଓଡ଼ିଶାରେ ବସବାସ କରୁଥିବା ତେଲେଗୁ ଭାଷାଭାଷୀ ଲୋକଙ୍କୁ ଚରମ ଅବହେଳା କରୁଛି ପ୍ରଶାସନ । ଆମେ କହୁଛୁ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଥିବା ତେଲେଗୁ ଭାଷୀ ଗାଁର କଥା । ଗାଁରେ ମୌଳିକ ସୁବିଧା ନଥିବାରୁ ଲୋକେ ଆନ୍ଧ୍ର ଯୋଜନା ପ୍ରତି ଆକୃଷ୍ଟ ହେଉଥିବା ବେଳେ ଏବେ ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ଲାଗିରହିଛି ।

Advertisment

ଓଡ଼ିଶା ମାଟିରେ ତେଲେଗୁ ଗାଁ । ମୌଳିକ ସୁବିଧାରୁ ବଞ୍ଚିତ ସୀମାବର୍ତୀ ଗାଁର ଲୋକେ । ପଞ୍ଚମ ପର୍ଯ୍ୟାୟରେ ଭୋଟ ଦେବ ସ୍ୱାଭିମାନ ଅଞ୍ଚଳର ଲୋକେ । ତେବେ ସ୍ୱାଭିମାନ ଅଞ୍ଚଳସ୍ଥିତ ଆନ୍ଧ୍ର ସୀମାବର୍ତୀ ଗାଁର ଲୋକଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ଲାଗିରହିଛି । ଏ ହେଉଛି ଆନ୍ଧ୍ର ସୀମାବର୍ତ୍ତୀ ଚିତାଙ୍ଗଉରୁ ଗାଁର ଚିତ୍ର । ଗାଁରେ ଅଧିକାଂଶ ଲୋକଙ୍କ ପାଖରେ ନାଁ ଅଛି ଆଧାରକାର୍ଡ ନା ଭୋଟ ପରିଚୟ ପତ୍ର । ଗାଁରେ ନା ଅଛି ବିଶୁଦ୍ଧ ପାନୀୟ ଜଳର ସୁବିଧା, ନାଁ ଅଙ୍ଗନଓାଡି କେନ୍ଦ୍ର, ନାଁ ବିଦ୍ୟାଳୟ । ସ୍ୱାସ୍ଥ୍ୟ ସେବା କଥା ନ କହିବା ଭଲ । ଗାଁର କାଁ ଭାଁ କିଛି ଲୋକଙ୍କୁ କେଜିଏ ଚାଉଳ ପାଇଁ ଘାଟି ତଳକୁ ଡୋଳିଆମ୍ବ କିମ୍ବା ଧୂଳିପୁଟ ଗାଁ ଯାଇ ଶହ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଆଉ ଓଡ଼ିଶା ମାଟିରେ ତେଲେଗୁ ଭାଷୀଙ୍କ ପ୍ରତି ଚରମ ଅବହେଳାକୁ ନେଇ ଗାଁରେ ତିବ୍ର ଅସନ୍ତୋଷ ଲାଗି ରହିଛି ।

ଚିତାଙ୍ଗଉରୁ ଆଖ ପାଖରେ ଏମେତି ଅନେକ ତେଲେଗୁ ଭାଷୀ ଗାଁ ରହିଛି । ପଡୋଶି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏମାନଙ୍କ ପାଇଁ ଅନେକ ଲୋଭନୀୟ ଯୋଜନା ରହିଛି । ୫୦୦ ଟଙ୍କା ବଦଳରେ ୨୫୦୦ ଟଙ୍କା ଭତା, ଆମା ଓଡି ଯୋଜନା ପରି ଅନେକ ଅଫର ରହିଛି । ତେବେ ଗାଁରେ କେବଳ ଦୁଇ ଜଣ ମାତ୍ର ବୁଢା ବୁଢି ଏଠାରେ ଭତା ପାଆନ୍ତି । ତାହା ପୁଣି କେତେବେଳେ କେମିତି । ଆଉ ଭୋଟ ଦେବାକୁ ମଧ୍ୟ ଘାଟି ତଳକୁ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯିବାକୁ ପଡେ । ତେଣୁ ଚଳିତ ନିର୍ବାଚନକୁ ନେଇ ଏମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ନାହିଁ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଗାଁରେ ଏବେ ରାସ୍ତା ପହଞ୍ଚିବା ପରେ ଏମାନେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଆଶା କରୁଛନ୍ତି ।