ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି : ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

71

କନକ ବ୍ୟୁରୋ : ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରସ୍ତୁତି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ା ଜିଲ୍ଲା ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ । ବନ୍ୟା, ଜଳବନ୍ଦୀ, ଭୂସ୍ଖଳନ କିମ୍ବା ପବନ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପୂର୍ବରୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି, ସେହି ଜିଲ୍ଲାରେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜରୁରୀକାଳୀନ ସହାୟତା ଲାଗି ଟୋଲ୍ ଫ୍ରୀ ନମ୍ବର -୧୫୫୪ ଜାରି କରାଯାଇଛି । ୪୨ଟି ଓଡ୍ରାଫ୍, ୧୦୨ରୁ ଉର୍ଦ୍ଧ୍ୱ ଫାୟାର ସର୍ଭିସ୍ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ରଖାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ଆସିଛି ୧୩ଟି ଏନଡିଆରଏଫ୍ ଟିମ୍ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ଟିମ୍ ମୁତୟନ ହେବେ । ଗଜପତି, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ରେ ୨ଟି ଲେଖାଏଁ ଟିମ୍ ମୁତୟନ ହେବେ । ବାଲେଶ୍ୱର ଓ ମାଲକାନଗିରିରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯିବ । ଆଜି ରାତି ସୁଦ୍ଧା ଏହି ସବୁ ସ୍ଥାନରେ ଏନଡିଆରଏଫ୍ ଟିମ୍ ମୁତୟନ ହେବେ ।

ସେପଟେ, ବତ୍ୟା ଗୁଲାବକୁ ନେଇ ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଗୁଲାବ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ତଳିଆ ଅଂଚଳରେ ସାମାନ୍ୟା ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୬ଟି ଟିମ୍ ଗଠନ କରାଯାଇ ଓଡ଼୍ରାଫ କର୍ମଚାରୀଙ୍କୁ ନିୟୋଯିତ କରାଯାଇଛି । ଆଗୁଆ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଇଛି ଜିଲ୍ଲା ପ୍ରଶାସନ । ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି ।

ଅନ୍ୟପକ୍ଷରେ ବାତ୍ୟା ଗୁଲାବର ମୁକାବିଲା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ନାଗାବଳୀ ନଦୀ କୁଳିଆ ଗାଁରେ ଥିବା ବନ୍ୟା ଆଶ୍ରୟସ୍ଥଳୀକୁ ବୁଲି ଦେଖିବା ସହ ସେଠାରେ ଥିବା ସମସ୍ତ ଜିନିଷ ତଦାରଖ କରିଛନ୍ତି ପ୍ରଶାସନିକ ଅଧିକାରୀ । ଏହାପରେ ତଳିଆ ଅଂଚଳ ଯାଇ ଲୋକଙ୍କୁ ବାତ୍ୟା ସଂପର୍କରେ ସୂଚନା ଦେଇ ଗାଁରେ ପାଣି ପଶିବା ଆଗରୁ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଗାଁକୁ ଗାଁ ବୁଲି ବତ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଛି ।