୨୨ ବର୍ଷ ହେଲା ବନ୍ଦ ହୋଇପଡ଼ିଛି ବଡ଼ମ୍ବା ଚିନିକଳ । ହ୍ରାସ ପାଉଛି ଆଖୁ ଉତ୍ପାଦନ, ବେକାର ବସିଛନ୍ତି କର୍ମଚାରୀ ।

146

କନକ ବ୍ୟୁରୋ : ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବଡ଼ମ୍ବା ଚିନିକଳ । ଏହି ଚିନିକଳ ଦ୍ୱାରା ଅଞ୍ଚଳର ଚାଷୀ ଓ କର୍ମଚାରୀ ଉପକୃତ ହେଉଥିଲେ । ୨୨ ବର୍ଷ ହେଲା ଏହି ଚିନି କଳ ବନ୍ଦ ହୋଇ ପଡ଼ିଥିବା ବେଳେ ଆଖୁ ଉତ୍ପାଦନ ହ୍ରାସ ପାଇଛି । ଚିନିକଳରେ କାମ କରୁଥିବା କର୍ମଚାରୀ ବେକାର ହୋଇ ବସିଛନ୍ତି । ଅଧିକାଂଶ ଜମି ମଧ୍ୟ ପଡ଼ିଆ ପଡ଼ିଛି । ତେଣୁ ଚିନି କଳ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଜରାଜୀର୍ଣ୍ଣ ଚିନିକଳ । ପ୍ରଶାସନର ଆନ୍ତରିକତାର ଅଭାବ । ରୋଜଗାର ହରାଇଛନ୍ତି ହଜାର ହଜାର ଚାଷୀ । ବର୍ଷ କି ମାସେ ନୁହେଁ ୨୨ ବର୍ଷ ହେଲା ବନ୍ଦ ହୋଇପଡିଛି କଟକ ଜିଲ୍ଲା ବଡମ୍ବା ଚିନିକଳ । ଚିନିକଳ କାର୍ଯ୍ୟକ୍ଷମ ହେଉଥିବା ବେଳେ ବଡମ୍ବା ଓ ନରସିଂହପୁର ଅଂଚଳର ଅନେକ ଲୋକ ଏଠାରେ କାମ କରି ପେଟ ପୋଷୁଥିଲେ । ଏବେ ସେମାନେ ରୋଜଗାର ହରାଇ ବେକାର ହୋଇ ବସିଛନ୍ତି । ଆଉ ଏବେ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଚିନିକିଳ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ବଡମ୍ବା ବିଜେପି ବିଧାୟକ ପ୍ରାର୍ଥୀ କହିଛନ୍ତି ସ୍ଥାନୀୟ ଅଞ୍ଚଳରୁ ପାଞ୍ଚ ପାଞ୍ଚ ଥର ବିଧାୟକ ରହିଥିବା ଦେବୀ ପ୍ରସାଦ ମିଶ୍ରଙ୍କ ଆନ୍ତରିକତା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ସୁରକ୍ଷା ଖୋଜୁଛି ଏହି ଚିନିକଳ ।

୧୯୮୨ ମସିହାରେ ୪,୮୯୧ଜଣ ଚାଷୀଙ୍କୁ ନେଇ ପଞ୍ଜିକୃତ ହୋଇଥିଲା ବଡ଼ମ୍ବା ସମବାୟ ଚିନିକଳ । ଅଂଶଧନ ବାବଦରେ ସେତେବେଳେ ଆଦାୟ ହୋଇଥିଲା ୮ କୋଟି ୧୩ ଲକ୍ଷ ୧୩ ହଜାର ୮୧୧ ଟଙ୍କା । ଏବଂ ଚିନିକଳ ପାଇଁ ୧୩୩ ଏକରର ଏକ ଜମି ଅଧିଗ୍ରହଣ ହୋଇଥିଲା । ୧୯୮୯ ମସିହାରେ ଏହି ଚିନିକଳ କାର୍ଯ୍ୟକ୍ଷମ ହୋଇଥିଲା । ୨ଜଣ ନିଲାମଧାରୀ ଚିନିଶିଳ୍ପ ନିଲାମରେ ଅଂଶଗ୍ରହଣ କରିଥିଲେ ।

ଅନ୍ୟପଟେ ଚିନିକଳ ବନ୍ଦ ହୋଇଯିବା କାରଣରୁ ଚାଷୀମାନେ ସର୍ବଶ୍ୱାନ୍ତ ହୋଇପଡିଲେଣି । ଆଖୁ ଉତ୍ପାଦନ କମିବା ସହ ଏବେ ଅଧିକାଂଶ ଜମି ପଡିଆ ପଡିଛି । ଆଉ ଏପରି ଅବସ୍ଥାରେ ଏହି ଚିନିଶିଳ୍ପ ଚାଲୁ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।