ମହାନଦୀର ତଳିଆ ଅଞ୍ଚଳରେ ବଢ଼ୁଛି ଜଳସ୍ତର : ୪ଟି ଜିଲ୍ଲାରେ ସତର୍କ ଅଛି ପ୍ରଶାସନ

96

କନକ ବ୍ୟୁରୋ : ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳି ଅଂଚଳ ଲୋକଙ୍କ ଚିନ୍ତା ବଢିଛି । ଭୟ ଭିତରେ ରହିଛନ୍ତି ପୁରୀ ଜିଲ୍ଲାର ତଳି ଅଂଚଳର ଲୋକେ । ଜିଲ୍ଲାର ଲୁଣା, ରତ୍ନଚିରା, ଦୟା, ଭାର୍ଗବୀ, କୁଶଭଦ୍ରା, ଧନୁଆଁ, ଦେବୀ ଆଦି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ଏବେ କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଂଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ବିଶେଷକରି ଗୋପରବିରତୁଙ୍ଗ, ଡଭାର, ମହଲପଡ଼ା ପଂଚାୟତରେ ପାଣି ପ୍ରବେଶ କରୁଥିବା ବେଳେ ଏହି ଅଂଚଳର ଅଧିକ ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଂକା କରାଯାଉଛି ।

ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜଳସ୍ତର କମିଛି। ସେଠାରେ ବିପଦ ନାହିଁ । ତେବେ ସୁବର୍ଣ୍ଣରେଖାରେ ଜଳପତନ ବୃଦ୍ଧି ପାଉଛି । କିଛି ଖାଲୁଆ ଗାଁରେ ପାଣି ପଶିବାର ଆଶଙ୍କା ରହିଛି । ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌କୁ ପ୍ରସ୍ତୁତ ରଖାଯାଇଛି। ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ଅଧିକ କ୍ଷୟକ୍ଷତି କରିବନି। ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇ ନାହିଁ । ଆଗାମୀ ଲଘୁଚାପ ସମ୍ପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଆସି ନାହିଁ । ତେବେ ଆମେ ସଜାଗ ରହିଛୁ । ଆଇଏମ୍‌ଡିରୁ ସେମିତି କୌଣସି ସୂଚନା ମିଳିଲେ ଆମେ ଲୋକଙ୍କୁ ସତର୍କ କରାଇବୁ । ଲୋକ ଆତଙ୍କିତ ନ ହେବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି ।