ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ ପରେ ଚେତିଲା ପ୍ରଶାସନ । ସ୍ୱାଭିମାନ ଅଂଚଳର ନେରୁଡ ପାଲି ନଦୀରେ ମୋଟର ବୋଟ୍ ଯୋଗାଇଲେ ସରକାର । ନାଉତୁମ୍ବା ବାନ୍ଧି ଅଙ୍ଗନୱାଡି କର୍ମୀ ନଦୀ ପାର ହେବା ଖବର ପ୍ରସାରଣ ପରେ ବୋଟ ଯୋଗାଇବାକୁ ଆଗେଇ ଆସିଥିଲେ ଆନନ୍ଦ ମହିନ୍ଦ୍ରା

199

କନକ ବ୍ୟୁରୋ : ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ ପରେ ଚେତିଲା ପ୍ରଶାସନ । ଖବର ପ୍ରସାରଣର ମାସେ ପରେ ସ୍ୱାଭିମାନ ଅଂଚଳର ନେରୁଡ ପାଲି ନଦୀ ପାର ପାଇଁ ମୋଟର ବୋଟ୍ ଯୋଗାଇଦେଲା ମାଲକାନାଗିରି ଜିଲ୍ଳା ପ୍ରଶାସନ । ଲାଉତୁମ୍ବା ବାନ୍ଧି ଅଙ୍ଗନୱାଡି କର୍ମୀ ନଦୀ ପାର ହେବା ନେଇ ଖବର ସେପ୍ଟେମ୍ବର ୨୪ ତାରିଖରେ ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ବୋଟ ଯୋଗାଇବାକୁ ଆଗେଇ ଆସିଥିଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ସେ ଅଙ୍ଗନୱାଡି କର୍ମୀଙ୍କ ପାଇଁ ନିଜ ଖର୍ଚ୍ଚରେ ବୋଟ ଯୋଗାଇ ଦେବେ ବୋଲି ଟୁଇଟ୍ କରି ଘୋଷଣା କରିଥିଲେ । ଏହା ପରେ ତତ୍ପର ହୋଇଛି ପ୍ରଶାସନ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଂଚଳର ନେରୁଡପାଲି ନଦୀରେ ବୋଟର ବ୍ୟବସ୍ଥା କରାଯାଇଛି । ନଦୀ ସେପଟେ ଥିବା ଦୁଇଟି ଅଙ୍ଗନୱାଡି କେନ୍ଦ୍ର ସୁଆପାଲି ଓ ନେଡ଼ୁପାଲିକୁ ଯିବା ପାଇଁ କୌଣସି ସୁବିଧା ନଥିବାରୁ ଅଙ୍ଗନୱାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଷା ଅଂଟାରେ ଲାଉତୁମ୍ବା ବାନ୍ଧି ନଦୀ ପାର ହୋଇଥାନ୍ତି । ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ରାଲେଗଡା ଗ୍ରାମ ପଂଚାୟତର ଏହି ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ଭରା ନଇ ପାରି ହୋଇଥାନ୍ତି ।

ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନଦୀ ହେବାକୁ ପଡେ । ବର୍ଷା ଦିନେ ନେରୁଡପାଲି ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନଇକୁ ଦେଖି ପଛେଇ ଯାଇ ନଥାନ୍ତି ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ଅଂଟାରେ ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଂଚିଥାନ୍ତି । ସେମାନଙ୍କ ଏଭଳି ଜଳଯାତ୍ରାକୁ ଦେଖି ସହାୟତାର ହାତ ବଢାଇଥିଲେ ଶିଳ୍ପପତି ଅନନ୍ଦ ମହିନ୍ଦ୍ରା ।

ସ୍ୱାଭିମାନ ଅଂଚଳର ସମସ୍ୟା ଦୂର କରିବା ପାଇଁ ବୋଟ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଏନେଇ ପ୍ରଶାସନ ଜାଣିବା ପରେ ଆନନ୍ଦ ମହିନ୍ଦ୍ରା ବୋଟ ଯୋଗାଇବା ଆଗରୁ ପ୍ରଶାସନ ବୋଟ ଯୋଗାଇ ଦେଇଛି ।