କନକ ବ୍ୟୁରୋ : ଝାଟିମାଟିର କୁଡିଆ ଘରେ ଅସହାୟ ହୋଇ ପଡିରହିଥିଲେ ବୃଦ୍ଧା । ଭଙ୍ଗ କୁଡିଆରେ ବୃଦ୍ଧା ଅସୁସ୍ଥ ହୋଇ ଜୀବନ ପାଇଁ ସଂଗ୍ରାମ କରୁଥିବା କରୁଥିବା ଖବର ପାଇ ଗରିବ ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ରୋଗଗ୍ରସ୍ତ ବୃଦ୍ଧାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଛି । ଏଥିସହ ବୃଦ୍ଧାଙ୍କୁ ଏକ ପକ୍କା ଘର ଓ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବ୍ରହ୍ମପୁର ଗାଁର ୭୫ ବର୍ଷ ବୟସ୍କ ଅଇନା ସୁତାର ଝାଟିମାଟିର ଛିଣ୍ଡା ଜରି ପାଲ ଘୋଡା ଭଙ୍ଗା କୁଡିଆରେ ସାନ ଝିଅ ଶ୍ରୀମତି ସୂତାର ସହ ରହୁଥିଲେ । ଆଇନାଙ୍କ ସ୍ୱାମୀ ଚାଲିଯିବା ପରେ ଦୁର୍ବିସହ ହୋଇପଡିଥିଲା ଅଇନାଙ୍କ ଜୀବନ । କେବଳ ଘରଡିହ ଖଣ୍ଡକ ଛାଡିଦେଲେ ସମ୍ପତ୍ତି କିଛି ନାହିଁ । ମାସକୁ ୩୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ୫ଶହରେ ଅଭାବ ଅନଟନରେ ଚଳୁଥିଲେ ମାଆ ଝିଅ ।

ଏହାରି ଭିତରେ ବୃଦ୍ଧା ଅଇନା ରୋଗରେ ପଡିବାରୁ ସ୍ଥିତି ଶୋଚନୀୟ ହୋଇପଡିଥିଲା । ଭଙ୍ଗା କୁଡିଆରେ ବୃଦ୍ଧା ଅଇନା ପଡିରହିଥିବା ଜାଣିବା ପରେ ଅଞ୍ଚଳର ସମାଜସେବୀ ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମାଜସେବୀଙ୍କ ସହାୟତାରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଏବେ ଅଇନା ସୁତାର ସୁସ୍ଥ ଅଛନ୍ତି । ତାଙ୍କୁ ପକ୍କା ଘର ସହ ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।