ଅନଲାଇନ୍ ପାଠ ପଢିବା ପାଇଁ ଆଦିବାସୀ ଝିଅର ସଂଘର୍ଷ । ଜଙ୍ଗଲରୁ ମହୁଲ, ଟୋଲ ବିକି ନିଜ ପାଇଁ କିଣିଲେ ସ୍ମାର୍ଟଫୋନ୍ ।

133

କନକ ବ୍ୟୁରୋ: ଅନଲାଇନରେ ପାଠ ପଢିବା ପାଇଁ ସଂଘର୍ଷ । ନିଜ ପରିବାରର ଆର୍ଥିକ ଅକ୍ଷମତାକୁ ପଛରେ ପକାଇ ନିଜେ ଅର୍ଥ ରୋଜଗାର କରି ସ୍ମାର୍ଟଫୋନ କିଣି ପାଠ ପଢୁଛନ୍ତି ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ । ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏମିତି ଜଣେ ଛାତ୍ରୀଙ୍କ ସଂଘର୍ଷ କାହାଣୀ । କରୋନା କାଳରେ ଅନଲାଇନ ପାଠକୁ ଶିକ୍ଷା ବିଭାଗ ପ୍ରାଧାନ୍ୟ ଦେଉଛି । ହେଲେ ଅନେକ ସ୍ଥାନରେ ମୋବାଇଲ ଓ ନେଟୱାର୍କ ଅଭାବରୁ ପାଠପଢା ହୋଇ ପାରୁନାହିଁ । ପିଲାଙ୍କ ବହି ବସ୍ତାନିରେ ଡୋରି ବନ୍ଧା ହୋଇଛି । ହେଲେ ମାଲକାନଗିରି ଜିଲ୍ଲାର ଜଣେ ଛାତ୍ରୀଙ୍କ ପାଠ ପଢିବାର ନିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଜଙ୍ଗଲରେ ଟୋଲ ସଂଗ୍ରହ କରି ତାପରେ ଏହାକୁ ଭାଙ୍ଗି ଘର ଅଗଣାରେ ସୁଖାଇଛନ୍ତି ଜଣେ ଦଶମ ଶ୍ରେଣୀର ଆଦିବାସୀ ଛାତ୍ରୀ । ଆଉ କୁନି ଝିଅର ଏହି ସଂଘର୍ଷ ପଛରେ ରହିଛି ଅନଲାଇନ୍ ପାଠର ଭିନ୍ନ ଏକ କାହାଣୀ । ମାଲକାନଗିରି ସତିଗୁଡା ଏସଏସଡି ହାଇସ୍କୁଲର ଦଶମ ଶ୍ରେଣୀରେ ପାଠ ପଢନ୍ତି ତଣ୍ଡାପାଲି ଗାଁର ସୀମା ମାଡକାମୀ । ପ୍ରଥମ ପର୍ଯ୍ୟାୟ ଲକ ଡାଉନରେ ସ୍ମାର୍ଟ ଫୋନ ନଥିବାରୁ ଅନଲାଇନ ଶିକ୍ଷାରୁ ବଂଚିତ ହୋଇଥିଲେ ସୀମା । ହେଲେ ଏଥର କିନ୍ତୁ ଯେମିତି ହେଲେ ଅନଲାଇନ୍ରେ ପଢିବେ । ସେଇ ଆଶାରେ ଜଙ୍ଗଲରୁ ଟୋଲ ମହୁଲ ସଂଗ୍ରହ କରି ସିଖପାଲି ସାପ୍ତାହିକ ହାଟରେ ବିକ୍ରି କଲେ । ୧୦ ହଜାର ଟଙ୍କା ରୋଜଗାର କଲେ ସୀମା । ସେଥିରୁ ୮ ହଜାର ଟଙ୍କାରେ ଏକ ସ୍ମାର୍ଟଫୋନ କିଣି ୟୁ-ଟ୍ୟୁବ୍ ପାଠପଢା ଆରମ୍ଭ କରିଛନ୍ତି ଆଦିବାସୀ ଛାତ୍ରୀ ସୀମା ।

ମୋବାଇଲ କିଣା ହୋଇଛି, ହେଲେ ଏତିକିରେ ଅଟକି ନାହିଁ ସୀମାଙ୍କ ସଂଘର୍ଷ । ଗାଁ ଠାରୁ ଦୂରରେ ଜମିରେ ଘର କରି ରୁହନ୍ତି ସୀମାଙ୍କ ପରିବାର । ଘରେ ବିଜୁଳି ସଂଯୋଗ ନାହିଁ, ତେଣୁ ମୋବାଇଲ ଚାର୍ଜ କରିବା ପାଇଁ ପ୍ରତିଦିନ ସଂଧ୍ୟାରେ ୫ କିଲୋମିଟର ବାଟ ଚାଲନ୍ତି ସୀମା ଓ ତାଙ୍କ ବଡ ଭଉଣୀ ପୂଜା । ତଣ୍ଡାପାଲି ଗାଁକୁ ଯାଆନ୍ତି, ସେଠାରେ ସଂପର୍କୀୟଙ୍କ ଘରେ ରାତିରେ ରହି ମୋବାଇଲ ଚାର୍ଜ କରନ୍ତି, ପୁଣି ସକାଳୁ ଘରକୁ ଫେରି ସବୁ ନିତ୍ୟକର୍ମ ସାରି ଅନଲାଇନ୍ରେ ପାଠ ପଢନ୍ତି ।