ନିର୍ବାଚନୀ ବର୍ଷରେ ଉଛୁଳିଲା ଆଦିବାସୀ ପ୍ରେମ! ବିଜେଡିର ସମାବେଶ, ବିଜେପିର ଶୋଭାଯାତ୍ରା ପରେ ଘରେ ଘରେ ପତାକା ଲଗାଇଲା କଂଗ୍ରେସ

45

କନକ ବ୍ୟୁରୋ : ଆଦିବାସୀ ଦିବସରେ ବଡ ରାଜନୀତି । ଆଦିବାସୀ ଦିବସ ପାଳନକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଦଳ, ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା । ବିଜେଡି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଆଦିବାସୀ ସମାବେଶ କରାଯାଇଥିବା ବେଳେ ବିଜେପି ପକ୍ଷରୁ ହୋଇଛି ଆଦିବାସୀ ଶୋଭାଯାତ୍ରା । ସେପଟେ ଆଦିବାସୀ ଦିବସ ଅବସରରେ କଂଗ୍ରେସ କରିଛି କ୍ରାନ୍ତି ଦିବସ । ସଂଖ୍ୟା ଦୃଷ୍ଟିରୁ ଆଦିବାସୀଙ୍କ ଭୋଟ୍ ବ୍ୟାଙ୍କ ଓଡ଼ିଶା ରାଜନୀତିକୁ ବିଶେଷ ଭାବରେ ପ୍ରଭାବିତ କରୁଥିବାରୁ କୌଣସି ଦଳ ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାଁନ୍ତି ।

ଆଦିବାସୀ ଦିବସ ପାଳନକୁ ନେଇ ହୁଏତ ପୂର୍ବରୁ କେବେ ଏତେ ବଡ ପ୍ରତିଦ୍ୱନ୍ଦିତା ଦେଖା ଯାଇନଥିଲା, ଯାହା ଆଜି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦେଖିବାକୁ ମିଳୁଛି । ଗୋଟିଏ ପଟେ ବିଜେଡିର ଆଦିବାସୀ ସମାବେଶ । ଅନ୍ୟପଟେ ବିଜେପିର ଆଦିବାସୀ ଶୋଭାଯାତ୍ରା । ଆଉ ଏହାରି ଭିତରେ କ୍ରାନ୍ତି ଦିବସ ଏବଂ ଆଦିବାସୀ ଦିବସ ମଧ୍ୟରେ ଏକ ସମନ୍ୱୟ ରଖି କଂଗ୍ରେସ, ନିଆରା ଢ଼ଙ୍ଗରେ ଭୁବନେଶ୍ୱରରେ କରିଛି ବିଶାଳ ରାଲି ।

ଆଗକୁ ନିର୍ବାଚନ ଆସୁଥିବାରୁ ଏତେ ବଡ ଏକ ସୁଯୋଗକୁ ବୋଧେ କୌଣସି ଦଳ ହାତ ଛଡା କରିବାକୁ ଚାହିଁ ନାହଁନ୍ତି । ତେଣୁ ନିଜ ନିଜ ଢ଼ଙ୍ଗରେ ପାଳନ କରିଛନ୍ତି ଆଦିବାସୀ ଦିବସ ।ବିଜେଡି ଆଦିବାସୀ ସମୁଖ୍ୟ ପକ୍ଷରୁ ହୋଇଥିବା ଏହି ବିଶାଳ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ଆଦିବାସୀ ପ୍ରତିନିଧି ସାମିଲ ହୋଇଥିଲେ ।ଏହି ଅବସରରେ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଏକ ପ୍ରତିମୁର୍ତୀର ଉନ୍ମୋଚନ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ । ଏପଟେ ବିଜେଡିର ଏହି କାର୍ଯ୍ୟକ୍ରମକୁ ଟକ୍କର ଦେବାକୁ ଯାଇ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ବିଜେଡି ଓ ବିଜେପିର ଏହି ପ୍ରତିଦ୍ୱନ୍ଦିତା ଭିତରେ ପଛରେ ପଡ଼ିନଥିଲା କଂଗ୍ରେସ । କ୍ରାନ୍ତି ଦିବସ ପାଳନ କରିବା ସହ ଘରେ ଘରେ ପହଂଚି ଦେଇଥିଲା ଦଳ । କଂଗ୍ରେସ ବିଚାରଧାରା ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ଘରେ ଲଗାଇଥିଲା ଦଳୀୟ ପତାକା ।ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ, ତେଣୁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଗଲାଣୀ ପ୍ରତିଯୋଗିତା । ଆଉ ଏହି ପ୍ରତିଯୋଗିତାର ଦୌଡ଼ରେ କୌଣସି ଦଳ ପଛରେ ରହିବାକୁ ଚାହୁଁ ନାହାଁନ୍ତି ।