କନକ ବ୍ୟୁରୋ : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିବ ସୂର୍ଯ୍ୟ ଅଭିଯାନ । ଆଜି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଂଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିବ ଇସ୍ରୋ । ଆଦିତ୍ୟ ଏଲ-ୱାନକୁ ନେଇ ମହାକାଶକୁ ଯିବ ପିଏସଏଲଭି-ଏକ୍ସଏଲ ରକେଟ୍ । ସୂର୍ଯ୍ୟଯାନ ଉତକ୍ଷେପଣର ୧୨୭ ଦିନ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଂଟରେ ପହଂଚିବ ।

Advertisment

ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ ।

ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି । ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି । ଏହି ସୌରଯାନ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।

ସୂର୍ଯ୍ୟ ମିଶନ ପାଇଁ ଚାଲିଛି ପୂଜାର୍ଚ୍ଚନା । ସୂର୍ଯ୍ୟ ଅଭିଯାନର ସଫଳତାର କାମନା କରି ବାରଣାସୀରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର କରାଯିବା ସହ ହୋମଯଜ୍ଞ କରାଯାଇଛି । ଚନ୍ଦ୍ରଯାନର ସଫଳତା ପରି ସୂର୍ଯ୍ୟ ଅଭିଯାନ ମଧ୍ୟ ସଫଳ ହେଉ ବୋଲି ପ୍ରାର୍ଥନା କରାଯାଇଛି ।

ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ

- ଦିନ ୧୧ଟା ୫୦ରେ ସୂର୍ଯ୍ୟ ଅଭିମୁଖେ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଂଟରରୁ ହେବ ଉତ୍କ୍ଷେପଣ
- ଆଦିତ୍ୟ ଏଲ-୧ ସାଟେଲାଇଟକୁ ନେଇ ଯିବ ପିଏସଏଲଭି ଏକ୍ସଏଲ ରକେଟ୍
- ପ୍ରଥମେ ପୃଥିବୀର କକ୍ଷପଥରେ ଆଦିତ୍ୟ ଏଲ-୧କୁ ଛାଡିବ ପିଏସଏଲଭି ଏକ୍ସଏଲ
- ୩ରୁ ୪ଥର ପୃଥିବୀକୁ ପ୍ରଦକ୍ଷିଣ କରିବା ପରେ ମାଧ୍ୟାକର୍ଷଣ କ୍ଷେତ୍ର ବାହାରକୁ ଯିବ
- ସର୍ଫେସ ଅଫ ଇନଫ୍ଲୁଏନ୍ସ ବା ଏସଓଆଇ ବାହାରକୁ ଯିବ ଆଦିତ୍ୟ
- କ୍ରୁଜ୍ ଫେଜ୍ ପରେ ହାଲୋ ଅର୍ବିଟ୍କୁ ଯିବ ଆଦିତ୍ୟ ଏଲ-୧ ସାଟେଲାଇଟ୍
- ଅର୍ଥାତ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ସ୍ଥିରିକୃତ ଲାଗରେଞ୍ଜ ପଏଂଟ-୧କୁ ଯିବ
- ନିର୍ଦ୍ଧାରିତ ସ୍ଥାନରେ ଆଦିତ୍ୟ ଏଲ-୧କୁ ପହଂଚିବା ପାଇଁ ଲାଗିବ ୧୨୫ ଦିନ

ଲାଗରେଞ୍ଜ ପଏଂଟ୍ କ’ଣ ?

- ଯେକୌଣସି ଗ୍ରହର ଚାରିପାଖରେ ୫ଟି ସ୍ଥାନ ରହିଛି ଯାହାକୁ ମାଧ୍ୟାକର୍ଷଣ ଶକ୍ତି, ସ୍ପେଶକ୍ରାଫ୍ଟ ଓ ଗ୍ରହଗୁଡିକର ଗତିବିଧି ଜାଣିବା ପାଇଁ ଉତ୍ତମ ବୋଲି ବିଚାର କରାଯାଏ
- ପୃଥିବୀର ଚାରି ପାଖରେ ଏହିଭଳି ୫ଟି ସ୍ଥାନ ରହିଛି ଯାହାକୁ ଲାଗରେଞ୍ଜ ପଏଂଟ୍ ବୋଲି କୁହାଯାଉଛି
- ଇଟାଲି ଓ ଫ୍ରାନ୍ସର ଗଣିତଜ୍ଞ ଜୋସେଫ ଲୁଇ ଲାଗରେଞ୍ଜଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି
- ୧୮ଶହ ଶତାବ୍ଦିରେ ଜୋସେଫ ଲୁଇ ଲାଗରେଞ୍ଜ ପୃଥିବୀର ମାଧ୍ୟାକର୍ଷଣ ଓ ସୂର୍ଯ୍ୟର ମହାକର୍ଷଣ ଶକ୍ତି ବାହାରେ ମହାକାଶରେ ୫ଟି ବିନ୍ଦୁ ଚିହ୍ନଟ କରିଥିଲେ
- ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଥିବା ଏହିସବୁ ବିନ୍ଦୁକୁ ଲାଗରେଞ୍ଜ ପଏଂଟ୍ ୧, ୨, ୩, ୪ ଓ ୫ରେ ନାମକରଣ କରାଯାଇଛି

କାହିଁକି ବଛାଗଲା ଏଲ-୧ ପଏଂଟ୍ ?

- ହାଲୋ ଅର୍ବିଟ୍ ବା ଲାଗରେଞ୍ଜ ପଏଂଟ୍-୧
- ଲାଗରେଞ୍ଜ ପଏଂଟ୍-୧ରେ ରହିବ ଆଦିତ୍ୟ
- ଏଠାରେ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ
- ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତ୍ୟେକ ଜିନିଷକୁ ନିଜ ଆଡକୁ ଟାଣେ
- ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଯେକୌଣସି ବସ୍ତୁକୁ ଟାଣିଥାଏ
- କିନ୍ତୁ ଲାଗରେଞ୍ଜ ପଏଂଟ୍ରେ ଉଭୟ ଶକ୍ତି ସମାନୁପାତରେ ରହିଛି
- ପୃଥିବୀଠାରୁ ଏହାର ଦୂରତା ୧୫ ଲକ୍ଷ କିଲୋମିଟର
- ସେହିପରି ସୂର୍ଯ୍ୟଠାରୁ ୧୪ କୋଟି ୮୫ ଲକ୍ଷ କିମି ଦୂର
- ଏହିଠାରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ ଆଦିତ୍ୟ
- ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ଏଠାରୁ ସୂର୍ଯ୍ୟକୁ ଦେଖିପାରିବ ଆଦିତ୍ୟ
- ୨୪ ଘଂଟା ସୂର୍ଯ୍ୟ ଉପରେ ନଜର ରଖିପାରିବ ଭାରତର ସାଟେଲାଇଟ୍