ଚାକିରି ଛାଡ଼ି କ୍ଷୁଦ୍ର ଉଦ୍ୟୋଗ କରିଛନ୍ତି ଆଦିତ୍ୟ । ଅକ୍ସି ପ୍ରୋ ବ୍ରାଣ୍ଡର ତିଆରି ହେଉଛି ଫିନାଇଲ, ସାନିଟାଇଜର ପରି ଦ୍ରବ୍ୟ ।

149

କନକ ବ୍ୟୁରୋ: ଦିନେ ନାମୀଦାମୀ ପ୍ରତିଷ୍ଠିତ ଫର୍ମାସିଟିକାଲ କମ୍ପାନୀର ଚାକିରିଆ । ମାସିକ ମୋଟା ଅଙ୍କର ଦରମା । ତେବେ ଲକ୍ଷାଧିକ ଟଙ୍କାର ଲୋଭନୀୟ ଦରମା ଛାଡି ନିଜେ ସ୍ୱାବଲମ୍ବୀ ହେବାର ଆଶାରେ ଚାକିରି ଛାଡି ଫେରିଲେ ନିଜ ଭିଟା ମାଟିକୁ । ଆତ୍ମନିର୍ଭରଶୀଳ ହେବାର ଲକ୍ଷ ନେଇ ଆରମ୍ଭ କରିଥିଲେ ପ୍ରୟାସ । ଆଉ ଆରମ୍ଭ କଲେ କ୍ଷୁଦ୍ର ଶିଳ୍ପ ଭଳି ଘରୋଇ ଉଦ୍ୟୋଗୀ । ବର୍ତ୍ତମାନ ତାହା ସଫଳ ରୂପାୟନ ହୋଇ ନିଜେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଯୋଗାଇଛନ୍ତି ନିଯୁକ୍ତି ।

ତେବେ ସେହି ଉଚ୍ଚ ଶିକ୍ଷିତ ସଫଳତମ ଉଦ୍ୟୋଗୀ ଜଣକ ହେଉଛନ୍ତି ଗୁଣୁପୁର ସହରର ଆଦିତ୍ୟ ନାରାୟଣ ମିଶ୍ର । ତେବେ ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ୱାର୍ଡ ନଂ -୪ର ବାସିନ୍ଦା ହେଉଛନ୍ତି ଆଦିତ୍ୟ ନାରାୟଣ ମିଶ୍ର । ବର୍ତମାନ ସେ କ୍ଷୁଦ୍ର ଶିଳ୍ପରୁ “ ଅକ୍ସି ପ୍ରୋ ବ୍ରାଣ୍ଡ ” ନାମରେ ଫିନାଇଲ , ସାନିଟାଇଜର , ହେଣ୍ଡ ୱାସ , ଡିସ ୱାସ , ବ୍ଳିଚିଙ୍ଗ ପାଉଡର , ଟୟଲେଟ କ୍ଳିନର , ଫ୍ଲୋର କ୍ଳିନ୍ନର ଇତ୍ୟାଦି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତିି । ପ୍ରସ୍ତୁତ ପ୍ରଣାଳୀ ପାଇଁ ସେ ଦିଲ୍ଲୀ ଓ ହାଇଦରାବାଦରେ ତାଲିମ ନେଇଛନ୍ତିି । ଆବଶ୍ୟକ କଞ୍ଚାମାଲ ନାସିକ , ଅହମଦାବାଦ ଓ ମୁମ୍ବାଇରୁ ଆଣୁଛନ୍ତି । ବର୍ତମାନ ଆଦିତ୍ୟଙ୍କ କ୍ଷୁଦ୍ର ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ସ୍ଥାନୀୟ ଅଞ୍ଚଳରେ ବେସ ଆଦୃତ ଲାଭ କରିଛି । ଏହାସହ ଗଜପତି ,ରାୟଗଡା, କୋରାପୁଟ, ନବରଙ୍ଗପୁର ଓ ଜୟପୁରରେ ମଧ୍ୟ ବିକ୍ରିି ହେଉଛି ।

ଆଦିତ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ ଫର୍ମ ପରେ ରାଜ୍ୟ ବାହାରେ ମୋଟା ଅଙ୍କର ଦରମାରେ ଚାକିରି କରିଥିଲେ । ହେଲେ ନିଜେ କିଛି କରିବା ଲକ୍ଷ୍ୟ ନେଇ ଗାଁ ଫେରି ଆରମ୍ଭ କରିଥିଲେ ବିଶ୍ୱନାଥ କେମିକାଲ ନାମରେ ଏକ କ୍ଷୁଦ୍ର ଶିଳ୍ପ । ପ୍ରଥମେ ୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ଏଥିରେ । ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ ଲୋକଙ୍କୁ ସେ ନିଯୁକ୍ତି ଦେଇପାରିଛନ୍ତି । ତାଙ୍କ ପାଖରେ ଏବେ ୧୦ରୁ ଅଧିକ ଲୋକ କାମ କରୁଛନ୍ତି ।