କନକ ନ୍ୟୁଜକୁ ସାଙ୍ଗ କହିଲେ ଆଦିତ୍ୟଙ୍କ କଥା , ୧୫ ଦିନ ହେଲା ଅବସାଦରେ ଥିଲେ ଆଦିତ୍ୟ । ବୃଦ୍ଧାଶ୍ରମ ଛାଡ଼ି ବ୍ୟବସାୟ କରିବେ ବୋଲି ବୋଧହୁଏ ଭାବୁଥିଲେ 

662

ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନଭିନ୍  ଚାଲିଛି । ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହିଁ ସୃଷ୍ଟି କରିଛି ବଡ ସନ୍ଦେହ । ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଆଦିତ୍ୟ କରିଥିବା ପୋଷ୍ଟକୁ ନେଇ ଖୋଳତାଡ ଚାଲିଛି । ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାଁନ୍ତି ବରଂ ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ । ଗତକାଲି  ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସନ୍ଦେହ ଘେରରେ ଅଛି ।

ବୌଦ୍ଧ ଜିଲ୍ଲାରେ ଜନ୍ମ ହୋଇଥିବା ଆଦିତ୍ୟ ଭୁବନେଶ୍ୱର ସୁନ୍ଦରପଦାରେ ବୃଦ୍ଧାଶ୍ରମ ଚଳାଉଥିଲେ । ଏହାର ନାମ ଥିଲା ପିପୁଲ ଫର ସେବା । ଆଦିତ୍ୟ ଆଖପାଖ ଅଞ୍ଚଳରେ ଜଣେ ସ୍ୱେଚ୍ଛାସେବୀ ଥିଲେ । ତାଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମର ଅନ୍ତେବାସୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ସମସ୍ତେ ଆଦିତ୍ୟଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ।  ତାଙ୍କ ମୃତ୍ୟୁକୁ ଏଯାଏଁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଆଦିତ୍ୟକୁ ଝୁରି ଝୁରି ସକାଳ ଖାଇବା ବି ଫୋଫାଡି ଦେଇଛନ୍ତି ଜଣେ ବୃଦ୍ଧା । ସେପଟେ ଆଦିତ୍ୟଙ୍କ ଜଣେ ସାଙ୍ଗ କନକ ନ୍ୟୁଜକୁ କହିଛନ୍ତି ଯେ , ଆଦିତ୍ୟ ଭାଇ ୧୫ ଦିନ ହେଲା ଅବସାଦରେ ଥିଲେ । ସେ ବୋଧହୁଏ ବିବାହ ପରେ ବୃଦ୍ଧାଶ୍ରମ  ଛାଡି ବ୍ୟବସାୟ କରିବେ ବୋଲି ଚିନ୍ତା କରୁଥିଲେ ।