କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ନୂଆ ମୋଡ ଆସିଛି । ତାଙ୍କ ହାତଲେଖା କୁହାଯାଉଥିବା ସୁଇସାଇଡ୍ ନୋଟକୁ ନେଇ ପ୍ରଶ୍ନ ଉଠିଛି । ତାଙ୍କ ସଂଗଠନର କିଛି ସଦସ୍ୟ ଦାବି କରିଛନ୍ତି, ଏହି ସୁଇସାଇଡ୍ ନୋଟ ପଛରେ ବଡ ରହସ୍ୟ ରହିଛି । ସେପଟେ ଆଦିତ୍ୟଙ୍କ ପତ୍ନୀ କହିଛନ୍ତି, ଆଶ୍ରମରେ ଅର୍ଥ କାରବାରକୁ ନେଇ ବିବାଦ ରହିଥିଲା ଏବଂ ଏହାକୁ ନେଇ ଚାପରେ ଥିଲେ ଆଦିତ୍ୟ । ସେପଟେ ପୋଲିସ ସୁଇସାଇଡ୍ ନୋଟର ଯାଂଚ ପାଇଁ ହସ୍ତାକ୍ଷର ବ୍ୟୁରୋକୁ ପଠାଇବ ।
ସୁଇସାଇଡ ନୋଟ୍ ସତ? ନା ଆଉ କିଏ ଲେଖିଛି ସୁଇସାଇଡ ନୋଟ୍? ଡାଏରୀରେ ଲେଖାଯାଇଥିବା ସୁଇସାଇଡ ନୋଟ୍ ଯଦି ସତ ହୋଇଥାଏ ତେବେ ଆଦିତ୍ୟ ଆତ୍ମହତ୍ୟା କରିବା ସମ୍ପୂର୍ଣ୍ଣ ସତ । କିନ୍ତୁ ଯଦି ମିଛ ହୋଇଥାଏ ତେବେ ଏହା ପଛରେ ନିଶ୍ଚୟ ଏକ ବଡ ଷଡଯନ୍ତ୍ର ରହିଛି । ଆଦିତ୍ୟଙ୍କ ପତ୍ନୀ କହିଛନ୍ତି ସେ ଏହି ଡାଏରୀ, ବିକାଶ ଠାରୁ ପାଇଥିଲେ । ତେବେ ବିକାଶ ହେଉଛନ୍ତି ସିଏ ଯାହାଙ୍କ ନାମ ଚିଠିରେ ଲେଖିଥିଲେ ଆଦିତ୍ୟ । ଚିଠିରେ ପପ୍ପୁ ଓ ବିକାଶ ନାମକ ଦୁଇ ଜଣ ଯୁବକଙ୍କୁ ଆଶ୍ରମର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ଆଦିତ୍ୟ । ପପ୍ପୁ ଓ ବିକାଶ ହେଉଛନ୍ତି ପିପୁଲ ଫର୍ ସେବା ସଂଗଠନର ସଦସ୍ୟ ।
ବିଦ୍ୟାଶ୍ରୀ କହିଛନ୍ତି ପପ୍ପୁ ଓ ବିକାଶ ନାରେ କିଛି ପ୍ରମାଣ ପାଇଥିଲେ ଆଦିତ୍ୟ । ସେମାନେ କୁଆଡେ ପଛପଟୁ ଆଦିତ୍ୟଙ୍କ ବିରୋଧରେ କାମ କରୁଥିଲେ । ପପ୍ପୁ ନାମକ ଯୁବକ ପିପୁଲ ଫର୍ ସେବା ସଂଗଠନର ଟ୍ରେଜେରର ଅଛନ୍ତି । ଇତି ମଧ୍ୟରେ କୁଆଡେ ପପ୍ପୁ, ଆଦିତ୍ୟଙ୍କ ଠାରୁ ୭୦ ହଜାର ଟଙ୍କା ଉଧାର ନେଇଥିଲେ । ମାସକୁ ପାଂଚ ହଜାର ଟଙ୍କା ଲେଖାଏଁ ଫେରାଇବେ ବୋଲି କହିଥିଲେ । ବିଦ୍ୟାଶ୍ରୀ କହିଛନ୍ତି ଏହାକୁ ନେଇ ଚାପରେ ଥିଲେ ଆଦିତ୍ୟ ।
ସେପଟେ କିନ୍ତୁ ଆଦିତ୍ୟଙ୍କ ମା କହିଛନ୍ତି ପୁଅ ବୋହୁ ଭିତରେ ସେଭଳି ଝଗଡା ନଥିଲା । ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ବନାଇ ବେଶି ଖୁସି ଦେଖାଯାଉଥିବା ଆଦିତ୍ୟଙ୍କ ଭିତରେ ଯେ ବହୁତ ବଡ ମାନସିକ ଚାପ ଲୁଚି ରହିଥିଲା, ଏହା ବିଶ୍ୱାସ କରିବା ମୁସ୍କିଲ । ପ୍ରଥମେ ଏହି ଘଟଣା ଆତ୍ମହତ୍ୟା ବୋଲି ସମସ୍ତେ ଧରିନେଇଥିଲେ । କିନ୍ତୁ ଧିରେ ଧିରେ ଘଟଣାରେ ନୂଆ ନୂଆ ମୋଡ ଆସିବାରେ ଲାଗିିଛି । ତେଣୁ ସମସ୍ତେ ପୋଲିସର ତଦନ୍ତକୁ ଅପେକ୍ଷା କରିଛନ୍ତି ।