ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୋଲୁନି ପରଦା । କ୍ରାଇମବ୍ରାଂଚକୁ ବି ମିଳୁନି ଠୋସ ଆଧାର, ଡାଏରୀରେ ଲେଖାଥିବା ସୁଇସାଇଡ୍ ନୋଟ୍ ବଢ଼ାଉଛି ଦ୍ୱନ୍ଦ୍ୱ ।

1,141

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କାହା ଆଡକୁ ଅଙ୍ଗୁଳି ଉଠାଇବ କ୍ରାଇମବ୍ରାଂଚ, ସେନେଇ ଦ୍ୱନ୍ଦ୍ୱରେ ପଡିଯାଇଛି । କାରଣ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଲେଖିଥିବା ସୁଇସାଇଡ୍ ନୋଟରେ, ବିକାଶ, ପପୁ ଏବଂ ବିଦ୍ୟାଶ୍ରୀଙ୍କୁ କ୍ଲିନଚିଟ୍ ମିଳିସାରିଛି । ଏହି ସୁଇସାଇଡ୍ ନୋଟକୁ ବଳିଷ୍ଠ ପ୍ରମାଣ ଭାବେ ବିଚାର କରୁଛି କ୍ରାଇମବ୍ରାଞ୍ଚ । ତେଣୁ ଯଦି ଆଦିତ୍ୟ ଆତ୍ମହତ୍ୟା କରିଥାନ୍ତି, ତାଙ୍କୁ କିଏ ଏଥିପାଇଁ ଉସୁକାଇଥିଲା ତାହା ଖୋଜି ବାହାର କରିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ପ୍ରିୟ ପପୁ, ବିକାଶ ଓ ପିପୁଲ ଫର୍ ସେବାର ଅନ୍ୟ ସଦସ୍ୟମାନେ । ମୃତ୍ୟୁ କେତେବେଳେ କେଉଁ ବାଟରେ ଆସି କାହା ପାଖରେ ପହଞ୍ଚିଯାଏ, ସେକଥା କେହି ବି ଜାଣିନାହାନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃ୍ତ୍ୟୁ ଉପସ୍ଥିତ । କହନ୍ତି କି ଯିଏ ଯେତେଦିନ ପାଇଁ ଏ ଦୁନିଆକୁ ଆସିଛି, ସେତେଦିନ ହିଁ ରହିବ ।

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ଏହି ସୁଇସାଇଡ ନୋଟ କ୍ରାଇମବ୍ରାଂଚକୁ ଦୋଛକିରେ ପକାଇଦେଇଛି । କାରଣ ଏହି ସୁଇସାଇଡ ନୋଟରେ ଆଦିତ୍ୟ କାହା ଉପରେ ଦୋଷ ଦେଇନାହାନ୍ତି ।

ମୁଁ ଗଲା ପରେ ତୋତେ ଆଉ ବିକାଶକୁ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା । ମୁଁ ଚେକରେ ସାଇନ୍ କରିଦେଇଛି, ଟଙ୍କା ଉଠାଇ ଆଶ୍ରମ ଚଳାଉଥିବ । ତା’ପରେ ଲିଗାଲି ସବୁ କାଗଜପତ୍ର ଠିକ୍ କରି ପପୁ ତୁ ଚେୟାରମ୍ୟାନ ଏବଂ ବିକାଶ ତୁ ଟ୍ରେଜରର ପଦରେ ରହି ପିପୁଲ ଫର ସେବାର ଅନୁଷ୍ଠାନକୁ ଚଳାଇବ ।

ଆଦିତ୍ୟ ଏହି ନୋଟରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ବହୁତ ଭଲ ପାଉଥିବା କଥା ମଧ୍ୟ କହିଛନ୍ତି ।
ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋର ବହୁତ ଭଲ ପାଇବା, ଉପରେ ରହି ମୁଁ ତୁମକୁ ବହୁତ ମିସ୍ କରିବି ।

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ପୂର୍ବରୁ ଲେଖିଯାଇଥିବା ଏହି ସୁଇସାଇଡ ନୋଟ୍ ଏବେ କ୍ରାଇମବ୍ରାଂଚକୁ ଦୋଛକି ଭିତରକୁ ଟାଣିଆଣିଛି । କାରଣ ଏହି ନୋଟରେ ଆଦିତ୍ୟ ବିକାଶ, ପପୁ ଏବଂ ପତ୍ନୀଙ୍କୁ କ୍ଲିନଚିଟ ଦେଇସାରିଛନ୍ତି । ଆଶ୍ରମର ଦାୟିତ୍ୱ ବିକାଶ ଏବଂ ପପୁଙ୍କୁ ଦେଇଥିବା ବେଳେ ବିଦ୍ୟାଶ୍ରୀଙ୍କୁ ମରିବା ପରେ ମିସ କରିବେ ବୋଲି କହିଛନ୍ତି । ବହୁତ ଭଲ ପାଇବାର କଥା ମଧ୍ୟ କହିଛନ୍ତି । ବିକାଶ, ପପୁ ଏବଂ ବିଦ୍ୟାଶ୍ରୀ । ଏବେ କ୍ରାଇମବ୍ରାଂଚ ଏହି ୩ଜଣଙ୍କ ମଧ୍ୟରୁ କାହାକୁ ଦାୟୀ କରିବ ସେନେଇ ଦ୍ୱନ୍ଦ୍ୱରେ ପଡିଯାଇଛି । କାରଣ ସୁଇସାଇଡ ନୋଟରେ ସେମାନଙ୍କ ବିରୋଧରେ ପଦୁଟିଏ ବି ଲେଖାଯାଇନାହିଁ ।

ବାପା, ମାଆ ଲାଗିଲେ ତାଙ୍କ କଥା ବହୁତ ମନେ ପଡୁଛି । ସେ ଆଜି ଘରେ ନାହାନ୍ତି, ତାଙ୍କ ମୁହଁକୁ ମୁଁ ଚାହିଁଲେ ଆଉ କିଛି ଭୂଲ ନିଷ୍ପତ୍ତି ନେବା ପାଇଁ ସାହସ ହେବ ନାହିଁ । କାଲି ସକାଳେ ସେ ଆସି ପହଞ୍ଚିବେ, ମୁଁ ହୁଏତ ଦୁନିଆରେ ନଥିବି । ମୋ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି ।

ଏପରିକି ଆଦିତ୍ୟ ଦାସ ସୁଇସାଇଡ ନୋଟରେ ଏହା ମଧ୍ୟ ଲେଖିଛନ୍ତି ତାଙ୍କ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି । ଏବଂ ମାଙ୍କ ପ୍ରତି ଥିବା ଦୁର୍ବଳତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ମାଙ୍କୁ ଦେଖିଲେ ଭୁଲ ନିଷ୍ପତି ନେବାକୁ ସାହସ ହେବ ନାହିଁ ବୋଲି ଲେଖିଛନ୍ତି । ତେଣୁ ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହେଉଛି ଯଦି ଏହି ଚିଠି ଆଦିତ୍ୟ ଲେଖିଥାନ୍ତି, ତେବେ ସେ ମୃତ୍ୟୁ ପୂର୍ବରୁ ଜାଣିଥିଲେ ଯେ ତାଙ୍କୁ ମରିବାର ଅଛି । ତେଣୁ ଯଦି ଆଦିତ୍ୟ ଆତ୍ମହତ୍ୟା କରିଥାନ୍ତି, ତେବେ ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ତାହା ଖୋଜି ବାହାର କରିବା ମଧ୍ୟ କ୍ରାଇମବ୍ରାଂଚ ପାଇଁ ଆଉ ଏକ ବଡ ଚ୍ୟାଲେଂଜ ହୋଇଛି ।