ସମାଜସେବୀ ଆଦିତ୍ୟଦାସଙ୍କ ମୃତ୍ୟୁକୁ ନେଇ ଚାଂଚଲ୍ୟ: ରେଳଟ୍ରାକରେ ମିଳିଲା ଖୁସିର ସୂତ୍ର ବାଂଟୁଥିବା ମଣିଷର ମୃତଦେହ; ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କହିଲା ପୁଲିସ

କାଲି ଫେସବୁକରେ ଲେଖିଥିଲେ, ମୃତ୍ୟୁ ଯେତେବେଳେ ଆସେ ବହୁ ଧିରେ ଧିରେ ଆସେ, କେହି ଜାଣିପାରନ୍ତି ନାହିଁ

1,987

କନକ ବ୍ୟୁରୋ: ଆଜି ରେଳଧାରଣାରୁ ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଯେ, ଟ୍ରେନ୍ ଆଗକୁ ଡେଇଁ ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି । ତେବେ ଖୁସିର ସୁତ୍ର ଖୋଜୁଥିବା ମଣିଷ ଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଆଦିତ୍ୟ କରିଥିବା ପୋଷ୍ଟକୁ ନେଇ ଖୋଳତାଡ ଚାଲିଛି । ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାଁନ୍ତି ବରଂ ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ ।

ଜୁଲାଇ ୬ ତାରିଖ…ସମୟ ସନ୍ଧ୍ୟା ୭ଟା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ପୋଷ୍ଟକୁ ଦେଖନ୍ତୁ
ମୃତ୍ୟୁ ଯେତେବେଳେ ଆସେ
ବହୁତ ଧୀରେ ଧୀରେ ଆସେ
କେହି ଜାଣି ପାରନ୍ତି ନାହିଁ

ଜୁଲାଇ ୭ ତାରିଖ…ସକାଳ ସମୟ । ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଆଦିତ୍ୟସୁନ୍ଦର ଦାସ ସୋସିଆଲ ମିଡିଆରେ କରିଥିବା ଏପରି ପୋଷ୍ଟ ପଛର କାରଣ ଖୋଜୁ ଖୋଜୁ କିଛି ଘଂଟା ଭିତରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ରାଜଧାନୀର ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଅନୁମାନ କରାଯାଉଛି, ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି ଆଦିତ୍ୟ । ଏହି ଖବର ଆଦିତ୍ୟଙ୍କ ପରିବାର ଉପରେ ଚଡକ ପରି ପଡିଥିଲା । କେମିତି ଖୁସିରେ ଜୀବନ ଜିଇଁହେବ, କେମିତି ସମ୍ପର୍କରେ ମଧୁରତା ଆଣିହେବ , କେମିତି ରାଗ, ମଣିଷର ସବୁଠାରୁ ବଡ ଶତ୍ରୁ ଭାବେ ବଡ କ୍ଷତି କରିପାରେ-ଲୋକଙ୍କୁ ଏଭଳି କଥା ବୁଝାଉଥିବା ଆଦିତ୍ୟ ଆତ୍ମହତ୍ୟା କରିପାରିବେ –ଏକଥା ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ ।

ତେବେ ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ସୋମବାର ସନ୍ଧ୍ୟାରେ ପତ୍ନୀଙ୍କ ସହିତ କଥାହେବା ପରେ ଘରେ ଫ୍ରିଜ ଭିତରେ ଘରର ଚାବି ଏବଂ ମୋବାଇଲ ରଖି କୁଆଡେ ଚାଲିଯାଇଥିଲେ ଆଦିତ୍ୟ । ରାତି ବଢୁଥିଲା କିନ୍ତୁ ଆଉ ଆଦିତ୍ୟ ଫେରିନଥିଲେ । ବହୁ ଖୋଜାଖୋଜି ପରେ ସକାଳେ ମିଳିଥିଲା ଆଦିତ୍ୟଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନୁହେଁ, ବରଂ ଏହି ମୃତ୍ୟୁ ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହଙ୍କ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ । ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଚାସେବୀ ସଂଗଠନର ସଂସ୍ଥାପକ ଥିଲେ ଆଦିତ୍ୟ ସୁନ୍ଦର ଦାସ । ନିଜ ନାଁ ପୂର୍ବରୁ ଲେଖୁଥିଲେ ମାନବ ପ୍ରେମୀ ଆଦିତ୍ୟ ଦାସ । ବାହାଘରକୁ ଏକମାସ ବି ପୁରିନାହିଁ । ସବୁକିଛି ଠିକଠାକ ଚାଲିଥିଲା । ତାଙ୍କ ପତ୍ନୀ କହନ୍ତି, ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତ, ଆତ୍ମହତ୍ୟା କରିବା ଭଳି ପଦକ୍ଷେପକୁ ସମାଲୋଚନା ବି କରିଥିଲେ ଆଦିତ୍ୟ । ଆଦିତ୍ୟ କୁଆଡେ କହିଥିଲେ , ସବୁ ସମସ୍ୟାର ସମାଧାନ ରହିଛି, ଏଭଳି ବୋକାମି କରିବା ଉଚିତ ନୁହେଁ ।

ଭୁବନେଶ୍ୱରରେ ଏକ ବୃଦ୍ଧାଶ୍ରମ ବି କରିଥିଲେ ଆଦିତ୍ୟ । ଏବେ ବି ସେଠାରେ ବୃଦ୍ଧମାନେ ରୁହନ୍ତି ଏବଂ ଆଦିତ୍ୟ ତାଙ୍କର ସେବା କରନ୍ତି । ଏହି ଲକଡାଉନରେ ବି ଗରିବଙ୍କୁ ଖାଇବା ଦେଉଥିଲେ ଆଦିତ୍ୟ । ଏହାଛଡା ୟୁଟ୍ୟୁବ ଚ୍ୟାନେଲରେ ଖୁସିର ମନ୍ତ୍ର ବାଂଟୁଥିଲେ । କିନ୍ତୁ ଏମିତି କଣ ହେଲା ଯେଉଁଥି ପାଇଁ ଆଦିତ୍ୟ ଏତେ ବଡ ଚରମ ପଦ କ୍ଷେପ ନେଲେ ତାହା ବୁଝାପଡୁନାହିଁ ।