ଆଦିତ୍ୟ ମୃତ୍ୟୁ ମାମଲାରେ ସନ୍ଦେହରେ ସାଇକୋ ଲେଡି । ରହସ୍ୟମୟୀ ମହିଳାଙ୍କୁ ନେଇ ବଢୁଛି ରହସ୍ୟ, ମାନବପ୍ରେମୀଙ୍କ ବନ୍ଧୁ କହିଲେ, ଆଦିତ୍ୟଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ ସାଇକୋ ଲେଡି, ବାରମ୍ବାର ଦେଉଥିଲେ ଆତ୍ମହତ୍ୟା ଧମକ ।

1,610

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ରହସ୍ୟ ଘେରରେ ଥିବା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ସାଇକୋ ଲେଡିଙ୍କ ଭୂମିକା । ଆଦିତ୍ୟଙ୍କ ବନ୍ଧୁ ତଥା ସମାଜସେବୀ ବିସ୍ମିତ କହିଛନ୍ତି ଯେ, ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସେହି ସାଇକୋ ଲେଡିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେପଟେ ଆଦିତ୍ୟଙ୍କ ସହଯୋଗୀ ବିକାଶର କହିବା ହେଉଛି, ବାଲେଶ୍ୱରର ସେହି ରହସ୍ୟମୟୀ ଝିଅଙ୍କ ସହ ଆଦିତ୍ୟଙ୍କ ସହମତିରେ ସମ୍ପର୍କ ଥିଲା ।

ସନ୍ଦେହରେ ସାଇକୋ ଲେଡି । ରହସ୍ୟମୟୀ ମହିଳାଙ୍କୁ ନେଇ ବଢୁଛି ରହସ୍ୟ । ଆଦିତ୍ୟଙ୍କୁ ଏକତରଫା ପ୍ରେମ କରୁଥିଲେ । କଥା କଥାରେ ହାତ କାଟିଦେବା, ବାରମ୍ବାର ଆତ୍ମହତ୍ୟା ଧମକ ଦେବା ଯେମିତି ଅଭ୍ୟାସ ପାଲଟିଯାଇଥିଲା । ଆଦିତ୍ୟଙ୍କୁ ପାଇବା ନିଶା ଏମିତି ଘାରିଥିଲା ଯେ, ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ । ରହସ୍ୟ ଘେରରେ ଥିବା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସାମ୍ନାକୁ ଆସିଛି ସାଇକୋ ଲେଡିଙ୍କ ଭୂମିକା । ଆଦିତ୍ୟଙ୍କୁ ଅତି ପାଖରୁ ଜାଣିଥିବା ତଥା ତାଙ୍କ ବନ୍ଧୁ ବିସ୍ମିତ କହିଛନ୍ତି ଯେ, ସାଇକୋ ଲେଡିଙ୍କ ଏଭଳି ଆଚରଣ ପାଇଁ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଆଦିତ୍ୟ ।

କିଏ ଏହି ସାଇକୋ ଲେଡି ? ଆଦିତ୍ୟଙ୍କ ସହ କଣ ଥିଲା ସମ୍ପର୍କ ? ଆଦିତ୍ୟ ଦାସଙ୍କ ମୃତ୍ୟୁର କ୍ରାଇମବ୍ରାଂଚ ତଦନ୍ତ ଭିତରେ ଜଣେ ସାଇକୋ ଲେଡିଙ୍କ ଭୂମିକା କଥା ଉଠାଇଥିଲେ ଆଦିତ୍ୟଙ୍କ ବାପା । ଆଉ ସେହି ସାଇକୋ ଲେଡିଙ୍କ ବାବଦରେ ସମାନ କଥା ଦୋହରାଇଛନ୍ତି ଆଦିତ୍ୟଙ୍କ ସହଯୋଗୀ ବିକାଶ । କହିଛନ୍ତି, ସେ ବାଲେଶ୍ୱର ଝିଅ ଓ ଉଭୟଙ୍କ ମଧ୍ୟରେ ସହମତିରେ ସଂପର୍କ ଥିଲା । ଏପରିକି ସେ ଝିଅ ଆଦିତ୍ୟଙ୍କ ଆଶ୍ରମକୁ ବି ଆସିଥିବା କହିଛନ୍ତି ବିକାଶ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ, ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଏବେ ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା ସାମ୍ନାକୁ ଆସିବା ପରେ ପୁଣି ଏହି ମାମଲା ଏକ ନୂଆ ମୋଡ ନେଇଛି ।