ଆଦିତ୍ୟଙ୍କ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାନବପ୍ରେମୀଙ୍କ ମୃତ୍ୟୁ ମିଷ୍ଟ୍ରିର ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି । କହିଲେ ଆଦିତ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁ ଆତ୍ମହତ୍ୟା ଅପେକ୍ଷା ସୁପରିକଳ୍ପିତ ହତ୍ୟାକାଣ୍ଡ ଭଳି ହେଉଛି ସନ୍ଦେହ …

1,142

କନକ ବ୍ୟୁରୋ: ମାନବପ୍ରେମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ନିରପେକ୍ଷ ତଦନ୍ତ କରିବାକୁ ନନାଙ୍କ ଦାବି । ଦିନକୁ ଦିନ ରହସ୍ୟ ଘେରକୁ ଠେଲି ହୋଇଯାଉଛି ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା । ମୃତ୍ୟୁ ମିଷ୍ଟ୍ରିର ଖିଅ ଖୋଜିବାକୁ ଜିଆରପି ଜଣେ ପରେ ଜଣେଙ୍କୁ ଜେରା କରୁଥିବା ବେଳେ ତଥାପି ମୃତ୍ୟୁର ମୂଳ କାରଣ ଉପରୁ ପରଦା ହଟାଇ ପାରୁନି ପୋଲିସ । ଆଉ ଠିକ୍ ଏତିକି ବେଳେ ଆଦିତ୍ୟଙ୍କ ପାଇଁ ଆଗକୁ ଆସିଛନ୍ତି ଖୋଦ୍ କେନ୍ଦ୍ରମନ୍ତ୍ରୀ । ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟର ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ପାଖାପାଖି ୧୫ ଦିନ ବିତିଯାଇଥିବା ବେଳେ ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନି । ଆଦିତ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ବସା ବନ୍ଧୁଥିବା ବେଳେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ଅପେକ୍ଷା ଏହା ସୁପରିକଳ୍ପିତ ଷଡଯନ୍ତ୍ର ଭରା ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି କରୁଛି । ଘଟଣାରେ ଜିଆରପି ତଦନ୍ତ କରୁଥିଲେ ହେଁ ଏହା ଲୋକଙ୍କୁ ସନ୍ତୁଷ୍ଟ କରିପାରୁନି । ତେଣୁ କମିଶନରେଟ ପୋଲିସକୁ ଜିଆରପି ସହ ମିଶି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଘଟଣାର ସତ ଖୁବଶୀଘ୍ର ସାମ୍ନାକୁ ଆସନ୍ତା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ସେପଟେ ସସପେନ୍ସ ଭିତରେ ଥିବା ସମାଜସେବୀଙ୍କ ମୃତ୍ୟୁକୁ ନେଇ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଚିତ୍ର । ମୃତ୍ୟୁ ପୂର୍ବରୁ ସିସିଟିଭିରେ କଏଦ ହୋଇଛି ଆଦିତ୍ୟଙ୍କ ଗତିବିଧିର ଦୃଶ୍ୟ । ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଝଗଡା କରି ଘରୁ ବାହାରିଯିବା ପରେ ଆଦିତ୍ୟ କେମିତି ଚାଲି ଚାଲି ଯାଉଛନ୍ତି ତାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି । ତେବେ ସେ କୁଆଡେ ଯାଉଥିଲେ ତାହା ଏହି ଚିତ୍ରରୁ ଜଣାପଡୁ ନଥିବା ବେଳେ ଏହା ସ୍ପଷ୍ଟ ଯେ ଆଦିତ୍ୟ ହିଢ଼ ରାସ୍ତାରେ ଯାଉଛନ୍ତି ।

ଗତ କିଛିଦିନ ତଳେ ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ପାଇଁ ସାରା ଓଡିଶାରେ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିଲା । ଆଦିତ୍ୟଙ୍କୁ ନ୍ୟାୟ ଦେବାକୁ ଲଣ୍ଡା ଅଭିଯାନ ଆରମ୍ଭ କରିଥିଲେ ତାଙ୍କ ସମର୍ଥକମାନେ । ଲଣ୍ଡାର ହେବାର ଫଟୋ ସହ ଆମ ଭାଇଙ୍କୁ ନ୍ୟାୟ ଦିଅ ବୋଲି ଲେଖିଥିଲେ ଏଯୁବକମାନେ । ଆଉ ଏବେ ଆଦିତ୍ୟଙ୍କ ରହସ୍ୟମୟ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।