ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ ଲଢିବି

146

କନକ ବ୍ୟୁରୋ: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ କ୍ରାଇମବ୍ରାଞ୍ଚ ହତ୍ୟାକାରିକୁ ଜାଣିଛନ୍ତି କିନ୍ତୁ ବଡ଼ ବଡିଆଙ୍କ ଚାପରେ ହତ୍ୟା ମାମଲାକୁ ଚାପୁଛନ୍ତି ଓ ଆତ୍ମହତ୍ୟା ବୋଲି କହୁଛନ୍ତି। ମୋ ପୁଅକୁ ଯୋଜନା କରି ହତ୍ୟା କରାଯାଇଛି। ଆମେ ସିବିଆଇ ତଦନ୍ତ କରିବାକୁ ଦାବି କରିଛୁ।

ମୋ ପୁଅକୁ ନ୍ୟାୟ ମିଳିବା ଯାଏଁ ମୁଁ ଶେଷ ପର୍ଯ୍ୟନ୍ତ ଲଢିବି । ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବି ବୋଲି ମାନବପ୍ରେମୀଙ୍କ ବାପା କହିଛନ୍ତି | ସୂଚନାଯୋଗ୍ୟ, ଆଦିତ୍ୟ ଦାସଙ୍କର ମୃତ ଦେହ ଜୁଲାଇ ୭ ତାରିଖ ଦିନ ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା।

ଆଉ ଏହା ପରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଥିଲା । ତେବେ ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଥିଲା |