ଆଦିତ୍ୟ ଦାସ ମୃତ୍ୟୁମାମଲା : ୪ ଘଂଟା ଜେରା ହେଲେ ବିଦ୍ୟାଶ୍ରୀ

920

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ଘଟଣାରେ ଦୁଇ ଦିନ ଧରି ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍। ଦିନତମାମ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଥିବା ତଦନ୍ତକାରୀ ଟିମ୍ ଅପରାହ୍‌ଣରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୪ ଘଣ୍ଟା ଜେରା କରିଛି। ତିନି ଜଣିଆ ଟିମ୍ ଅପରାହ୍‌ଣ ପ୍ରାୟ ୪ଟାରେ ଆଦିତ୍ୟଙ୍କ ଘରେ ପହଞ୍ଚି ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲା। ଆଦିତ୍ୟ ଓ ତାଙ୍କ ଭିତରେ ବିବାହ ପରେ ସମ୍ପର୍କରେ ତିକ୍ତତା ଆସିଥିଲା କି? କିଛି ନିର୍ଦିଷ୍ଟ କାରଣରୁ ସେମାନଙ୍କ ଭିତରେ ମନୋମାଳିନ୍ୟ ରହିଥିଲା କି? ବୃଦ୍ଧାଶ୍ରମ ଅର୍ଥକୁ କେନ୍ଦ୍ର କରି କିଛି ପାଟିତୁଣ୍ଡ ହୋଇଥିଲା କି? ଯେଉଁ ୬ଦିନ ଆଦିତ୍ୟଙ୍କ ବାପା ଓ ମା’ ଘରେ ନ ଥିଲେ, ତାହା ଭିତରେ ଉଭୟଙ୍କ ମଧ୍ୟରେ କିଛି ଘଟିଥିଲା କି? ଏହି ସବୁ ଦିଗକୁ ଆଧାର କରି କ୍ରାଇମବ୍ରାଞ୍ଚ ବିଦ୍ୟାଶ୍ରୀଙ୍କୁ ଜେରା କରିଥିବା ଜଣାପଡ଼ିଛି। ବିଦ୍ୟାଶ୍ରୀଙ୍କୁ ଜେରା ପରେ ଆଦିତ୍ୟଙ୍କ ବାପା ଓ ମା’ଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା, ମା’ଙ୍କୁ ଅଲଗା ଅଲଗା ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

‌ସେହିପରି ପୂର୍ବାହ୍ନରେ ପିପୁଲ୍ସ ଫର୍‌ ସେବାର ସଦସ୍ୟ ତଥା ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ପପୁ, ବିକାଶ, ଦୀପୁ ଓ ପ୍ରୀତମଙ୍କୁ ଜେରା କରାଯାଇଛି। ସେମାନଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ଟିମ୍। ଆଶ୍ରମକୁ ଯାଇ ମଧ୍ୟ ଖୋଳତାଡ଼ କରିଛି ତଦନ୍ତକାରୀ ଦଳ। ଆଶ୍ରମର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିଛି। ଏହି ଘଟଣା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ଆଉ କିଛି ବ୍ୟକ୍ତିଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ଡିଜିପିଙ୍କ ନିର୍ଦେଶ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଜିଆରପି ଥାନାରୁ ସମସ୍ତ ଦସ୍ତାବିଜ୍, ସିସିଟିଭି ଫୁଟେଜ ସଂଗ୍ରହ କରିଛି।