ଯୁବ ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବଢୁଛି ଚର୍ଚ୍ଚା : ହତ୍ୟା ନା ଆତ୍ମହତ୍ୟା ସେ ସମ୍ପର୍କରେ ଚାଲିଛି ଖୋଳତାଡ , କାଲି ଭୁବନେଶ୍ୱରର ରେଳଧାରଣାରୁ ମିଳିଥିଲା ମାନବପ୍ରେମୀ ଆଦିତ୍ୟଦାସଙ୍କ କ୍ଷତବିକ୍ଷତ ମୃତଦେହ

307

ଭୁବନେଶ୍ୱର ଲିଙ୍ଗରାଜ ରେଳଷ୍ଟେସନ ନିକଟରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନଭିନ୍ ଚାଲିଛି । ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହିଁ ସୃଷ୍ଟି କରିଛି ବଡ ସନ୍ଦେହ । ଖୁସିର ସୁତ୍ର ଖୋଜୁଥିବା ମଣିଷ ଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସୋସିଆଲ ମିଡିଆରେ ଆଦିତ୍ୟ କରିଥିବା ପୋଷ୍ଟକୁ ନେଇ ଖୋଳତାଡ ଚାଲିଛି । ସେପଟେ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାଁନ୍ତି ବରଂ ଏହା ପଛରେ କିଛି ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଆଦିତ୍ୟଙ୍କ ପତ୍ନୀ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ରେଳଧାରଣା କଡରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ତେବେ ସେ ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ମାରିଦିଆଯିବା ପରେ ରେଳଧାରଣାରେ ପିଙ୍ଗିଦିଆଯାଇଛି ତାହା ସନ୍ଦେହ ଘେରରେ ଅଛି । ଆଦିତ୍ୟ ଘର ବୌଦ୍ଧ ଜିଲ୍ଲାରେ । ସେ ଭୁବନେଶ୍ୱର ସୁନ୍ଦରପଦାରେ ବୃଦ୍ଧାଶ୍ରମ ଚଳାଉଥିଲେ । ସେ ଆଖପାଖ ଅଂଚଳରେ ଜଣେ ସ୍ୱେଚ୍ଛାସେବୀ ଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମର ଅନ୍ତେବାସୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ସମସ୍ତେ ଆଦିତ୍ୟଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।