ସୋନିଆଙ୍କ ଗଡରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ରାଏବରେଲି ସଦର ବିଧାୟିକା

134

କନକ ବ୍ୟୁରୋ : କଂଗ୍ରେସକୁ ବୁଡାଇବାରେ ବିରୋଧୀଙ୍କ ଭୂମିକା ଠାରୁ କଂଗ୍ରେସ ନେତାଙ୍କ ଭୂମିକା ଏବେ ବଢିବାରେ ଲାଗିଛି । ପ୍ରଥମେ ୨୦୧୪ ରେ କଂଗ୍ରେସ ମୁକ୍ତ ଡାକରା ଦେଇଥିବା ବିଜେପି ଏବେ କଂଗ୍ରେସ ନେତାଙ୍କୁ ନିଜ ସପକ୍ଷରେ ନେବା ସଫଳ ହେଉଛି । ବିଜେପିରେ ଏବେ ଅନେକ କଂଗ୍ରେସ ନେତା ମନ୍ତ୍ରୀ, ସାଂସଦ ଓ ବିଧାୟକ ପଦରେ ରହିଛନ୍ତି । ଏହାସହ ମମତା ବାନାର୍ଜୀବି କିଛିଦିନ ହେବ ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରିବାକୁ ଲାଗିଛନ୍ତି ।

ଗତକାଲି ବିହାର ଯୁବ କଂଗ୍ରେସ ନେତା କିର୍ତ୍ତୀ ଆଜାଦ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିବା ବେଳେ ଆଜି ୟୁପି ରାଏବରେଲିରୁ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅଦିତି ସିଂ ବିଜେପିରେ ସାମିଲ ହୋଇଛନ୍ତି । କେବଳ ଅଦିତି ସିଂ ନୁହଁନ୍ତିି ଆଜମଗଡର ବିଏସପି ବିଧାୟକ ବନ୍ଧନା ସିଂ ବି ବିଜେପିରେ ଯୋଗ ଦେଇଛନ୍ତି । ଏହି କ୍ରମରେ ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ ସେମାନଙ୍କୁ ଦଳରେ ସାମିଲ କରି ସଦସ୍ୟତା ଦେଇଛନ୍ତି ।

ଅଦିତି ସିଂ ୨୦୧୭ ରେ ରାଏବରେଲି ସଦର ବିଧାନସଭାର ପ୍ରଥମଥର ପାଇଁ କଂଗ୍ରେସ ଟିକେଟରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ବିଧାୟିକା ଠାରୁ ତାଙ୍କର ସବୁଠାରୁ ବଡ ପରିଚୟ ହେଉଛି ସେ ବାହୁବଳୀ ଅଖିଳେଶ ସିଂଙ୍କ ଝିଅ । ଅଖିଳେଶ ସିଂ ୫ ଥଇର ବିଧାୟକ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

ଅଦିତି କିଛିଦିନ ହେବ ନିଜ ଦଳ ଓ ନେତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ବିଶେଷ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିବାରେ ଲାଗିଥିଲେ । ଏନେଇ ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବି ସେ ସ୍ୱତଃପ୍ରବୃତ ଭାବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।