ଆଦିପୁରୁଷରେ ରାବଣର ରୂପକୁ ନେଇ ବଡ଼ ବିବାଦ । ଟିଜର ରିଲିଜ ହେବା ପରେ ରାବଣର ସାଜସଜ୍ଜା ଓ ପୁଷ୍ପକ ବିମାନର ଚିତ୍ରଣକୁ ବିରୋଧ କଲେ ବିଭିନ୍ନ ହିନ୍ଦୁ ସଂଗଠନ ।

175

କନକ ବ୍ୟୁରୋ: ବିବାଦ ବଲିଉଡ୍ ସିନେମା ଆଦିପୁରୁଷକୁ ନେଇ । ସିନେମାର ଟିଜରଟି ସାମ୍ନାକୁ ଆସିବା ପରେ ଏହାକୁ ଅନେକ ବିରୋଧ କରାଯାଉଛି । ଏହି ଚଳଚ୍ଚିତ୍ର ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଆଧାରିତ ହୋଇଛି । ଯେଉଁଥିରେ ସାଉଥ ସୁପରଷ୍ଟାର ପ୍ରଭାସ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ତୁଲାଉଥିବାବେଳେ ରାବଣ ଚରିତ୍ରରେ ନଜର ଆସିବେ ସୈଫ ଅଲ୍ଲି ଖାନ । ତେବେ ଟିଜରରେ ରାବଣ ଚରିତ୍ରକୁ ଯେଉଁଭଳି ଭାବେ ରୂପ ଦିଆଯାଇଛି, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

  • ରାବଣର କେତେ ରୂପ
  • ପରଦା ରୂପକୁ ନେଇ ବିବାଦ

ଆଜି ବିଜୟା ଦଶମୀରେ ରାବଣପୋଡି ଅନୁଷ୍ଠିତ ହେଉଥିବାବେଳେ ସାମ୍ନାକୁ ଆସିଛି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ଟିଜର । ରାମାୟଣର କଥାବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ବାହୁବଳୀ ଫେମ୍ ପ୍ରଭାସ, ରାମଙ୍କ ଭୂମିକାରେ ନଜର ଆସୁଥିବାବେଳେ ରାବଣ ଚରିତ୍ରରେ ନଜର ଆସୁଛନ୍ତି ସୈଫ ଅଲ୍ଲି ଖାନ । ହେଲେ ରାବଣ ଚରିତ୍ରରେ ସୈଫଙ୍କ ଚେହେରାକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ଚେହେରା ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛି ବିଶ୍ୱ ହିନ୍ଦୁ ପରିଷଦ । ରାବଣର ପୌରାଣିକ ଚେହେରାଠାରୁ ସୈଫ ଅଲ୍ଲି ଖାନଙ୍କ ଚେହେରା ଏକଦମ ଭିନ୍ନ କହି ଘେରିଛି ଭିଏଚପି । ଫିଲ୍ମଟି ଆସନ୍ତାବର୍ଷ ରିଲିଜ ହେବାକୁ ଥିବାବେଳେ ଏହାକୁ ସିନେମା ହଲକୁ ଆସିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ହିନ୍ଦୁ ସଂଗଠନ ।

ମହାକାବ୍ୟ ରାମାୟଣକୁ ନେଇ ଏକାଧିକ କଥା, କାହାଣୀ ପ୍ରସ୍ତୁତ ହୋଇଥିବାବେଳେ ପରଦା ବି ଏଥିରେ ପଛରେ ପଡିନାହିଁ । ୯୦ ଦଶକରେ ରାମାନନ୍ଦ ସାଗରଙ୍କ ରାମାୟଣ ବହୁ ଲୋକପ୍ରିୟତା ସାଉଁଟିଥିଲା । ପ୍ରତ୍ୟେକଟି ଚରିତ୍ରକୁ ଲୋକେ ବେସ୍ ପସନ୍ଦ କରିଥିଲେ । ଏପରିକି ରାମ ଓ ସୀତାଙ୍କ ଭୂମିକାରେ ନଜର ଆସିଥିବା ଅରୁଣ ଗୋଭିଲ ଓ ଦୀପିକାଙ୍କୁ ସର୍ବସାଧାରଣରେ ଦେଖିଲେ ଭକ୍ତି କରୁଥିଲେ । ସେହିପରି ରାବଣ ଚରିତ୍ରରେ ନଜର ଆସିଥିବା ଅରବିନ୍ଦ ତ୍ରିବେଦୀଙ୍କୁ ମଧ୍ୟ ଅଜସ୍ର ଶ୍ରଦ୍ଧା କରୁଥିଲେ । ଯେଉଁଥିପାଇଁ କରୋନା ଲକଡାଉନରେ ଦୂରଦର୍ଶନରେ ପୂନଃ ପ୍ରସାରିତ ହୋଇଥିବା ରାମାୟଣକୁ ପୁଣି ଆଗ୍ରହଣର ସହ ଦେଖିଥିଲେ ଦେଶବାସୀ ।

୯୦ ଦଶକରେ ପ୍ରସାରିତ ହୋଇଥିବା ରାମାୟଣ ଓ ବର୍ତ୍ତମାନ ସମୟର ସିନେମା ପ୍ରଦର୍ଶନରେ ଅନେକ ପ୍ରଭେଦ ଆସିଲାଣି । ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗରେ ପରଦାରେ କାହାଣୀ ଓ ଚରିତ୍ରକୁ ଆହୁରି ଆକର୍ଷଣୀୟ କରାଯାଇ ପାରୁଛି । ତେଣୁ ହଲିଉଡ ଫିଲ୍ମ ଶୈଳୀରେ ପ୍ରସ୍ତୁତ ହେଉଛି ବିଗ ବଜେଟ୍ ଫିଲ୍ମ ଆଦିପୁରୁଷ । ସ୍କ୍ରିନପ୍ଲେକୁ ଆକର୍ଷଣୀୟ କରିବା ପାଇଁ ଭରପୁର ଭିଏଫଏକ୍ସର ବ୍ୟବହାର ହୋଇଛି । ହେଲେ ରାମ ଓ ରାବଣଙ୍କ ଚେହେରାକୁ ଏଥିରେ ଯେଉଁଭଳି ପ୍ରଦର୍ଶିତ କରାଯାଇଛି ତାକୁ ନେଇ ବିରୋଧ ବଢିବାରେ ଲାଗିଛି । ଏପରିକି ରାବଣ ଭୂମିକାରେ ନଜର ଆସିଥିବା ସୈଫ ଅଲ୍ଲି ଖାନଙ୍କୁ ଆଲ୍ଲାଉଦିନ ଖିଲଜୀ ଭଳି ଚେହେରା ଦିଆଯାଇଥିବା କିଛି ହିନ୍ଦୁ ସଂଗଠନ ଅଭିଯୋଗ କରିଛନ୍ତି ।