କନକ ବ୍ୟୁରୋ : ମୁକ୍ତିଲାଭ କରିଛି ଚଳଚିତ୍ର ଆଦିପୁରୁଷ । ବଡ଼ ପରଦାରେ ପହଁଚିବାପରେ ଆଦିପୁରୁଷକୁ ଦର୍ଶକଙ୍କ ଭଲପାଇବା ମିଳିବ ଏକଥା ହୁଏତ ନିର୍ମାତା ଚିନ୍ତା କରିଥିବେ କିନ୍ତୁ ଏବେ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଚଳଚିତ୍ରର ରାମାୟଣ, ପ୍ରଭୁ ଶ୍ରୀରାମଚନ୍ଦ୍ର, ହିନ୍ଦୁ ସଂସ୍କୃତିକୁ ବିକୃତଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି । ମୁକ୍ତିଲାଭ କରିବା ପରେ ଚଳିଚିତ୍ର ବିବାଦ ଘେରରେ ପଡିବା ପରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଦିପୁରୁଷକୁ ବିରୋଧ କରି ହିନ୍ଦୁ ସେନା ଜନସ୍ୱାର୍ଥ ମାମଲା ରୁଜୁ କରିଛି । ପିଟିସନରେ କୁହାଯାଇଛି --ଚଳଚିତ୍ରରେ ଯେଉଁ ବିବରଣୀ ପ୍ରଦାନ କରାଯାଇଛି ତାହା ଭ୍ରମାତ୍ମକ । ତ୍ରୁଟି ପୂର୍ଣ୍ଣ ତଥ୍ୟ କାହାଣୀରେ ସ୍ଥାନ ଦିଆଯାଇଛି । ଚଳଚିତ୍ରରେ ରାମାୟଣ ସମ୍ପର୍କିତ ଭୁଲ ତଥ୍ୟ ଦିଆଯାଇଛି । ଏହି ତ୍ରୁଟିକୁ ଗୁଡିକୁ ବାଦ ଦିଆଯାଉ । କେବଳ କାହାଣୀ ନୁହେଁ ଆଦିପୁରୁଷର କଳାକାରଙ୍କ ଡାଇଲଗ ଓ ବେଶଭୁଷା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

Advertisment

ରାମାନନ୍ଦ ସାଗରଙ୍କ ପୌରାଣିକ ଧାରବାହିକ ରାମାୟଣରେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲାହିରୀ ଆଦିପୁରୁଷକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯେଉଁଭଳି ଢଙ୍ଗରେ ଚଳିଚିତ୍ରରେ ସଂଳାପ, ଅଭିନୟ ଓ କଳାକାରଙ୍କ ବେଶଭୂଷାକୁ ଚିତ୍ରଣ କରାଯାଇଛି ତାହା ଆଦୌ ଉଚିତ ନୁହେଁ ବୋଲି ସୁନୀଲ ଟୁଇଟ କରି କହିଛନ୍ତି । ସେହିପରି ବଲିଉଡ ନାୟିକା କଙ୍ଗନା ରାଣାୱତ ଟୁଇଟ କରି କହିଛନ୍ତି ଆଦିପୁୁରୁଷ ସିନେମା ନିର୍ମାଣ କରି ନିର୍ମାତା ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଅପମାନ କରିଛନ୍ତି । ସାମାଜିକ ଗଣମାଧ୍ୟରେ ଆଦିପୁରୁଷକୁ ନେଇ ଅଧିକାଂଶ ପ୍ରତିକ୍ରିୟା ନକରାତ୍ମକ ରହିଛି । ସେପଟେ ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ଆଦିପୁରଷର ନିର୍ମାତାଙ୍କଠୁ କ୍ଷମା ଦାବି କରିଛନ୍ତି ।

ଜୁନ ୧୬ ତାରିଖରେ ମୁକ୍ତିଲାଭ କରିଛି ଆଦିପୁରୁଷ । ପ୍ରଥମ ଦିନର ପ୍ରଥମ ଶୋରୁ ହିଁ ଯେଉଁଭଳି ନକରାତ୍ମକ ପ୍ରତିକ୍ରିୟା ମିଳିଛି ତାହା ନିର୍ମାତାଙ୍କ ପାଇଁ ବଡ ଝଟକା ସଦୃଶ । ତଥାପି ଦିନକରେ ଦେଢଶହ କୋଟି ଆୟ କରିପାରିଛି ଆଦିପୁରୁଷ । ଅନ୍ୟପଟେ ଆଦିପୁରୁଷକୁ ବହିଷ୍କାର କରିବା ପାଇଁ ସାମାଜିକ ଗଣମାଧ୍ୟରେ ଦାବି ବୃଦ୍ଧି ହୁଏତ ଚଳଚିତ୍ର ପାଇଁ ଆଗକୁ ବଡ ସମସ୍ୟା ଆଣିପାରେ ।