କନକ ବ୍ୟୁରୋ: ଶଙ୍ଖ ଧରିଲେ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି ଖରିଆର ବିଧାୟକ । ଖରିଆରର କଂଗ୍ରେସ ବିଧାୟକ ଥିବା ଅଧିରାଜ ପାଣିଗ୍ରାହୀ ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ଏହାପରେ ଶତାଧିକ ସମର୍ଥକଙ୍କ ସହ ଆସି ସେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ ଚେୟାରମ୍ୟାନ୍, ୪୦ ଜଣ ସରପଞ୍ଚ ଓ ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଆଜି ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ବିଜେଡି ସାଂସଦ ମାନସ ମଙ୍ଗରାଜ ଅଧିରାଜ ପାଣିଗ୍ରାହୀଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏହି ଆସନରୁ ୨୦୧୯ ନିର୍ବାଚନରେ ବିଜେଡି ନେତା ଲମ୍ବୋଧର ନିଆଳଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅଧିରାଜ ପାଣିଗ୍ରାହୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି । ଅନ୍ୟପଟେ କଂଗ୍ରେସର ଜଣେ ବିଧାୟକ ଦଳ ଛାଡି ବିଜେଡିରେ ସାମିଲ ହେବା ଓଡିଶା କଂଗ୍ରେସ ନେତାଙ୍କୁ ଚିନ୍ତାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/03/29-20.jpg)