ଦିଲ୍ଲୀରେ ଦଳର ଶୋଚନୀୟ ସ୍ଥିତିକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା । ଅଧୀର ରଂଜନ କହିଲେ, କ୍ଷମତା ଅକ୍ତିଆର ପାଇଁ ଦିଲ୍ଲୀରେ ଲଢେଇ କରିନଥିଲା କଂଗ୍ରେସ

ପରାଜୟ ପାଇଁ ନିଜକୁ ଦାୟୀ କଲେ ଦିଲ୍ଲୀ ପିସିସି ସଭାପତି ସୁଭାଷ ଚୋପ୍ରା

678

କନକ ବ୍ୟୁରୋ: ସାରା ଦେଶକୁ ଚକିତ କରି ପୁଣି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ବର୍ତମାନ ପର୍ଯ୍ୟନ୍ତ ଯାହା ଟ୍ରେଣ୍ଡ ରହିଛି, ସେଥିରୁ ଜଣାପଡୁଛି ଦିଲ୍ଲୀରେ ହ୍ୟାଟ୍ରିକ କରିବାକୁ ଯାଉଛନ୍ତି କେଜ୍ରିୱାଲ । ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀ ଦଖଲର ରଣନୀତି କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଥିବା ଜଣାପଡୁଛି । କାରଣ ଆମ ଆଦମୀ ପାର୍ଟି ଠାରୁ ଟ୍ରେଣ୍ଡରେ ବହୁ ପଛରେ ରହିଛି ବିଜେପି ।

ସେପଟେ କଂଗ୍ରେସ ଗତଥର ଭଳି ଏଥର ମଧ୍ୟ ଖାତା ଖୋଲିପାରିନାହିଁ । ତେବେ ୨୦୧୫ ତୁଳନାରେ ଆପର ଆସନ ସଂଖ୍ୟା କମିବାର ସମ୍ଭାବନା ସୃଷ୍ଟି ହୋଇଛି । କିନ୍ତୁ ଗତ ଥର ମାତ୍ର ୩ଟି ବିଧାନସଭା ନିର୍ବାଚନ ଜିତିଥିବା ବିଜେପି ଏଥର ଆସନ ଓ ଭୋଟ ପ୍ରତିଶତ ବଢାଇବାକୁ ସମର୍ଥ ହୋଇଛି । ତେବେ ୨୦୧୯ ଲୋକସଭା ନିର୍ବାଚନରେ ସମସ୍ତ ୭ଟି ଆସନ ଦାଖଲ କରିଥିବା ବିଜେପି ଏଥର ଦିଲ୍ଲୀରେ ପଟ୍ଟ ପରିବର୍ତନ ପାଇଁ ଆଶା କରିଥିଲା । ହେଲେ ମୋଦୀ ଓ ଅମିତ ଶାହାଙ୍କ ସବୁ ରଣନୀତି ଫସର ଫାଟିଯାଇଛି ।

୨୦୧୯ ଲୋକସଭା ନିର୍ବାଚନରୁ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା କଂଗ୍ରେସ ଦିଲ୍ଲୀରେ ବି ଫେଲ ମାରିଛି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ଖାତା ଖୋଲିପାରିନାହିଁ ଏ÷ହି ସର୍ବପୁରାତନ ଦଳ । ଆଉ ପରାଜୟର ସମୀକ୍ଷା କରିବା ପୂର୍ବରୁ ଦଳର ନେତା ସ୍ୱୀକାର କରିଛନ୍ତି, କ୍ଷମତା ଅକ୍ତିଆର ପାଇଁ ଦିଲ୍ଲୀରେ ଲଢେଇ କରିନଥିଲା କଂଗ୍ରେସ । କେବଳ କିଛି ଆସନ ଜିତି ନିଜର ଅସ୍ଥ୍ିତ୍ୱ ଜାହିର କରିବାକୁ ଚାହୁଁଥିଲା ହେଲେ ତାହା ମଧ୍ୟ ସମ୍ଭବ ହୋଇନାହିଁ ।ସେପଟେ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ଦିଲ୍ଲୀ ପିସିସି ସଭାପତି ସୁଭାଷ ଚୋପ୍ରା । ବିଜେପି ଓ ଆପ ଭୋଟ ଧ୍ରୁବୀକରଣ କରିବାରୁ କଂଗ୍ରେସ ବିଫଳ ହେଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ, ଫଳାଫଳ ଆସିବା ପରେ ଆମ ଆଦମି ପାର୍ଟିର କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି । ପରସ୍ପର ପରସ୍ପରକୁ ମିଠା ଖୁଆଇବା ସହ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଏପରିକି ବିଜୟ ଉତ୍ସବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଆପ୍ ସମର୍ଥକ । ବାଜା ବଜାଇ ମିଠା ଖୁଆଇ ପରସ୍ପରକୁ ଶୁଭେଚ୍ଚା ଜଣାଇଛନ୍ତି । ଅନ୍ୟପଟେ ଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ଅଫିସ ଖାଁ ଖାଁ ରହିଛି । ଟ୍ରେଣ୍ଡ ଆସିବା ପରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କୌଣସି ନେତା କିମ୍ବା କର୍ମୀ ଦେଖିବାକୁ ମିଳିନାହିଁ ।