କନକ ବ୍ୟୁରୋ : କଥା କଟାକଟି, ବୟାନବାଜୀ, ଆରୋପପ୍ରତ୍ୟାରୋପ । ଏହା ଭିତରେ ଏବେ ତେଜିଛି ଟିଏମସି ଓ କଂଗ୍ରେସ ବିବାଦ । ଆସନ ଭାଗବଂଟାକୁ ନେଇ ଗୋଟେ ପଟେ ଦିଲ୍ଲୀରେ ଇଣ୍ଡିଆ ମେଂଟର ବୈଠକ ବସିଥିବାବେଳେ ଅନ୍ୟପଟେ ଟିଏମସି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିରରଂଜନ ଚୌଧୁରୀ । ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଆକ୍ଷେପ କରି ଅଧୀର ରଂଜନ ଚୌଧୁରୀ ବିବାଦୀୟ ଟିପ୍ପଣୀ କରିଛନ୍ତି । ଅଧୀର କହିଛନ୍ତି,ମମତା ଜଣେ ଅହଂକାରୀ ଓ ବିଶ୍ୱାସଘାତକ । ଯେଉଁମାନଙ୍କ ସହଯୋଗ ଓ ସମର୍ଥନରେ ସେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ସହ ବିଶ୍ୱାସଘାତକତା କରିବାକୁ ପଛେଇ ନାହାଁନ୍ତି । ଟିଏମସି ମୁଖ୍ୟ ହେବାପରେ ବିଗତ ଦିନର କଥା ଭୁଲି ଅଂହକାରୀ ପାଲଟିଛନ୍ତି ମମତା । ରାଜୀବ ଓ ସୋନିଆ ଗାନ୍ଧୀଙ୍କ ଦୟାରେ ସେ ରାଜନେତ୍ରୀ ହୋଇପାରିଥିଲେ । ମମତା ପୁରୁଣା ଦିନର କଥାକୁ ଭୁଲିଯାଇଛନ୍ତି । ଅଧୀର ରଂଜନଙ୍କ ଆକ୍ରୋଶ କେବଳ ଏଠି ଅଟକିନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ...ମମତାଙ୍କଠୁ ସୋନିଆ ଭିକରେ ଆସନ ମାଗୁନାହାଁନ୍ତି । ଦିନେ ନା ଦିନେ ଦିଦିଙ୍କ ଅହଂକାର ଭାଙ୍ଗି ଚୁରମାର ହେବ । ବିଜେପି ପ୍ରତି ମମତାଙ୍କ ଦରଦ ରହିଛି ଓ ମୋଦୀଙ୍କ ସହ ବିଶ୍ୱାସଘାତକତା କରିବାକୁ ଚାହୁଁନାହାଁନ୍ତି ତେଣୁ ଆସନ ଭାଗବଂଟା କରିବାକୁ ଇଚ୍ଛୁକ ନୁହଁନ୍ତି ବୋଲି ଅଧୀର ରଂଜନ କହିଛନ୍ତି ।

Advertisment

ଆସନଭାଗବଂଟାକୁ ନେଇ କଂଗ୍ରେସ ଓ ଅନ୍ୟ ଦଳଗୁଡିକଙ୍କ ଭିତରେ ତାଳମେଳ ଠିକ ନାହିଁ । ସେପଟେ ପ୍ରଥମ ଦିନରୁ ମମତା ନିଜ ଜିଦରେ ଅଟଳ ରହିବା ଯୋଗୁଁ କଂଗ୍ରେସ ଓ ଟିଏମସି ମଧ୍ୟରେ ମନାନ୍ତର ଦେଖାଦେଇଛି । କହିବାକୁ ଗଲେ ଇଣ୍ଡିଆ ମେଂଟରେ ମମତାଙ୍କ ପାଇଁ ଫାଟ ହେଉଥିବା ଅଭିଯୋଗ କରିଆସୁଛି କଂଗ୍ରେସ । ଏହା ଭିତରେ ଅଧିରରଂଜନ ବାରମ୍ବାର ମମତାଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ଏପରିକି ମମତା ଓ ମୋଦୀଙ୍କ ଭିତରେ ସିକ୍ରେଟ ଡିଲ ହୋଇଥିବା ଅଭିଯୋଗ କରୁଛି କଂଗ୍ରେସ ।

ଆଗକୁ ଲୋକସଭା ନିର୍ବାଚନ । ବିଜେପିକୁ ମାତ ଦେବାକୁ ଯଦିଓ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଂଟ ଗଠନ କରିଛନ୍ତି କିନ୍ତୁ ମେଂଟ ଭିତରର କନ୍ଦଳ ବାରମ୍ବାର ପଦାରେ ପଡୁଛି । ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଏଭଳି ବୟାନବାଜୀ, ମତାନ୍ତର ସହ କିଭଳି ବିଜେପି ସହ ମେଂଟ ଲଢ଼ିବ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି । ସେପଟେ ଯେଉଁଭଳି ଶଦ୍ଧ ପ୍ରୟୋଗ କରି, ବିବାଦୀୟ ଆଚରଣ ସହ ମମତା ବାର୍ନାଜୀଙ୍କୁ ଅଧୀର ରଂଜନ ଟାର୍ଗେଟ କରିଛନ୍ତି ତାହା ଆଗାମୀ ଦିନରେ ଉଭୟ ଦଳ ମଧ୍ୟରେ ଥିବା ଫାଟକୁ ବଢ଼ାଇବ ନିଶ୍ଚୟ ।