କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ ମାତ୍ର ଦୁଇଟ ଆସନ ଦେବାକୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କୁ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗରେ ଅଧିକ ଆସନ ଜିତିବାକୁ ଟିଏମସିର ସମର୍ଥନ ଦରକାର ନାହିଁ । ମମତା ବାର୍ନାଜୀଙ୍କ ବାସ୍ତବ ଉଦେଶ୍ୟ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବଳରେ ଦୁଇଟି ଆସନ ଜିତିଛି । ବିଜେପି ଏବଂ ମମତାଙ୍କୁ ହରାଇ କଂଗ୍ରେସ ଏହି ଦୁଇ ଆସନ ଜିତିଛି । ତେଣୁ ସେମାନେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଧୀର । ପଶ୍ଚିମବଙ୍ଗରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଇଣ୍ଡିଆ ମେଂଟର ଦଳଗୁଡିକ ମଧ୍ୟରେ ଆସନ ବୁଝାବଣା କରାଯାଉଛି   । କିନ୍ତୁ ଏବେ ସୁଦ୍ଧା ଇଣ୍ଡିଆ ମେଂଟର ଆସନ ବୁଝାବଣା ନେଇ କୌଣସି ନିଷ୍ପତି ହୋଇପାରିନାହିଁ । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।