ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି…ଆସନ୍ତାକାଲି ନିଳାଦ୍ରୀ ବିଜେ ସହ ଶେଷ ହେବ ରଥଯାତ୍ରା

266

କନକ ବ୍ୟୁରୋ: ଆଜି ରଥ ଉପରେ ପାଳିତ ହେବ ଶ୍ରୀଜଗନ୍ନାଥଙ୍କ ଅଧରପଣା ନୀତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁମାନଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ସମାପ୍ତି ପରେ ଅଧରପଣା ନୀତି ଉଲ୍ଲେଖ ରହିଛି । ରଥରୁଢ ଦିଅଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡି ରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧର ପଣା କୁହାଯାଏ । ଅଧରପଣା ଭୋଗ ବିଧିତ ପ୍ରାୟ ୪୫୦ରୁ ଅଧିକ ପୁରୁଣା ବୋଲି କୁହାଯାଏ ।  ପୂର୍ବରୁ ଦଶମୀ, ଏକାଦଶୀ ଓ ଦ୍ୱାଦଶୀରେ ତିନିଥର ଠାକୁରଙ୍କ ଅଧରପଣା ନୀତି ହେଉଥିଲା ବୋଲି ସଂସ୍କୃତିଗବେଷକ କହନ୍ତି । କିନ୍ତୁ ବର୍ତମାନ ଏହା କେବଳ ଥରେ ହିଁ କରାଯାଉଛି । ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ ଓଡିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିଥାଏ ।

ଶାସ୍ତ୍ରଜ୍ଞଙ୍କ ମତରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ-ଚାମୁଣ୍ଡାଙ୍କ ପାଇଁ ଏହି ଅଧରପଣା ନୀତି ହୋଇଥାଏ  । ଫଳରେ ସେମାନେ ଶାନ୍ତି ହୋଇ ନିଜ ସ୍ଥାନ ଫେରିଥାନ୍ତି ।  ଏବେ ନଜର ପକାଇବା ଆଜିର ଅଧରପଣା ପାଇଁ ଧାର୍ଯ୍ୟ ହୋଇଥିବା ନୀତି ଉପରେ ସକାଳ ୬ଟାରୁ ୮ ମଧ୍ୟରେ ତିନିରଥ ମଙ୍ଗଳ ଆଳତି, ମଇଲମ-ତଡପଲାଗି ଓ ଅବକାଶ ଶେଷ ହୋଇଛି ।  ସକାଳ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ, ଦିନ ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସକାଳ ଧୂପ ଅନୁଷ୍ଠିତ ହେବ । ଏହା ପରେ ମଇଲମ, ମହାସ୍ନାନ ଓ ଦିନ ୨ଟା ସୁଦ୍ଧା ବେଶ ଶେଷ ହେବ । ଅପରାହ୍ନ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେବ । ରାତି ୮ ସୁଦ୍ଧା ତିନିରଥର ଅଧରପଣା ନୀତି ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି ।