କନକ ବ୍ୟୁରୋ: ‘ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।
କିନ୍ତୁ କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା?
/kanak/media/post_attachments/wp-content/uploads/2019/07/ratha-jatra.jpg)
ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।
/kanak/media/post_attachments/wp-content/uploads/2019/07/ratha2-f.jpg)
/kanak/media/post_attachments/wp-content/uploads/2019/07/ratha-1f.jpg)
/kanak/media/post_attachments/wp-content/uploads/2019/07/ratha-3f.jpg)
/kanak/media/post_attachments/wp-content/uploads/2019/07/ratha2-1024x162.jpg)
ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି । ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।
ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।
କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।
କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।