ସରିଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି, ମହାପ୍ରଭୁଙ୍କୁ ଭୋଗ ଲାଗି ପରେ ପଣାହାଣ୍ଡି ଭାଙ୍ଗି ଚଣ୍ଡି ଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ ।

244

କନକ ବ୍ୟୁରୋ : ପରମ୍ପରା ଅନୁଯାୟୀ ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏଥି ପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି । ଆସନ୍ତାକାଲି ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ । ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ ।

adharapanaଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ସକାଳ ୬ରୁ ୬ଟା୩୦ ମଧ୍ୟ‌ରେ ମଙ୍ଗଳଆଳତି, ୭ଟାରେ ମଇଲମ, ୮ଟା‌ରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟା୩୦ ମଧ୍ୟରେ ଗୋପାଳବଲ୍ଲଭ, ୧୧ଟା୩୦ରୁ ୧୨ଟା୩୦ ସକାଳଧୂପ, ମଧ୍ୟାହ୍ନ ଗୋଟାଏ ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ମଧ୍ୟାହ୍ନ ୨ଟା ସୁଦ୍ଧା ବେଶ ଶେଷ ହେବ । ଅପରାହ୍ନ ୩ଟା୩୦ରୁ ୪ଟା୩୦ ମଧ୍ୟାହ୍ନ ଧୂପ ହୋଇ ରାତି ୮ଟା ସୁଦ୍ଧା‌ ତିନି ରଥରେ ଅଧରାପଣ‌ା ନୀତି ଶେଷ ‌ହେବ ।